ଗୁଜୁରାଣ ମେଣ୍ଟାଇବାକୁ କଲେଜ ସମୟ ପରେ ମାଛ ବିକୁଥିବା +୩ ବିଜ୍ଞାନ ଛାତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶଂସା

କୋଚି: ସାମାଜିକ ଗଣମାଧ୍ୟମ ଛିଗୁଲାମିର (ସାଇବର୍‌ ଟ୍ରୋଲ୍‌) ସରବ୍ୟ ହୋଇଥିବା ମାଛ ବିକ୍ରେତା ୨୧ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗୁରୁବାର ଦିନ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କେଜେ ଆଲ୍‌ଫୋନ୍‌ସ୍‌।

ତୋଡୁପୁଝାର ଏକ ଘରୋଇ କଲେଜରେ ବିଜ୍ଞାନରେ ସ୍ନାତକ କରୁଥିବା ଛାତ୍ରୀ ହନନ୍‌ କଲେଜ ସମୟ ପରେ ଏର୍‌ନାକୁଲମ୍‌ର ତାମ୍ମନାମ ଠାରେ ମାଛ ବିକ୍ରୟ କରନ୍ତି। ତିନି ଦିନ ତଳେ ତାଙ୍କ ବିଷୟରେ ଅଗ୍ରଣୀ ଦୈନିକ ମାଲୟାଲମ୍‌ ଖବରକାଗଜ ‘ମାତୃଭୂମି’ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା।

ସିନେ-ତାରକା ଏବଂ ରାଜନେତାଙ୍କ ସମେତ ତାଙ୍କର ମର୍ମସ୍ପର୍ଶୀ କାହାଣୀ ଅନେକଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିଲା। କିନ୍ତୁ, ଥୋକେ ଲୋକ ସାମାଜିକ ଗଣମାଧ୍ୟମରେ ହାନନଙ୍କ ବୃତ୍ତାନ୍ତ ଉପରେ ସନ୍ଦେହ କରି ଏହାକୁ ମିଥ୍ୟା ବୋଲି ଅଭିହିତ କରିଥିଲେ।

ଏଥିଯୋଗୁଁ ଛାତ୍ରୀଜଣକ ତୀବ୍ର ଛିଗୁଲାମିର ସମ୍ମୁଖୀନ ହୋଇଥିଲେ। କିନ୍ତୁ, ହନନଙ୍କ କଲେଜର ଅଧ୍ୟକ୍ଷ ଏବଂ ପଡ଼ୋଶୀମାନେ ତାଙ୍କୁ ସମର୍ଥନ ଜଣାଇ କହିଥିଲେ କି, ଆଞ୍ଚଳିକ ଦୈନିକରେ ପ୍ରକାଶିତ ଖବରଟି ମିଥ୍ୟା ନୁହେଁ।

ଖବର ବିଷୟରେ ପ୍ରତିକ୍ରିୟା ଜଣାଇ ଆଲ୍‌ଫୋନ୍‌ସ୍‌ ତାଙ୍କ ଫେସ୍‌ବୁକ୍‌ରେ ପେଜ୍‌ରେ ଲେଖିଛନ୍ତି: କେରଳ ହାଙ୍ଗରମାନେ ହନନ୍‌ଙ୍କୁ ଆକ୍ରମଣ କରିବାରୁ ବିରତ ହୁଅନ୍ତୁ। ମତେ ଲାଜ ମାଡୁଛି। ଝିଅଟିଏ ବିଧ୍ୱସ୍ତ ଜୀବନକୁ ସଜାଡୁଛି। ତୁମେ ସବୁ ଶାଗୁଣା!

ଜୀବନର ଅଗ୍ରଗତି ନିମନ୍ତେ ଯୁବତୀଙ୍କ କଠୋର ପରିଶ୍ରମ କରିବା ମନୋବୃତ୍ତିକୁ ପର୍ଯ୍ୟଟନ ମନ୍ତ୍ରୀ ପ୍ରଶଂସା କରିଛନ୍ତି। କିଶୋର ଅବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମୁଖୀନ ହୋଇଥିବା ଅସୁବିଧାର ଉପଲକ୍ଷ୍ୟ ଦେଇ କନ୍ନନ୍ଥାନମ୍‌ କହିଲେ କି, ସେ ସମସ୍ତ ବାଧାବିଘ୍ନ ବିରୋଧରେ ଲଢ଼ି ପ୍ରଧାନମନ୍ତ୍ରୀ ହୋଇ ପାରିଲେ।

ତାଙ୍କୁ ନ ଛିଗୁଲାଇବା ପାଇଁ ଛଳଛଳ ଆଖିରେ ହନନ ସମାଲୋଚକମାନଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି। ସେ କହିଛନ୍ତି: ମୋର କୌଣସି ପ୍ରକାର ସାହାଯ୍ୟ ଲୋଡ଼ା ନାହିଁ। ମୋତେ ଛିଗୁଲାଅ ନାହିଁ। ଗୁଜୁରାଣ ମେଣ୍ଟାଇବାକୁ ମୁଁ ଯାହିତାହି କାମ କରୁଛି।

କେରଳ ମହିଳା କମିସନ୍‌ର ଅଧ୍ୟକ୍ଷା ଏମ୍‌ ସି ଜୋସେଫାଇନ୍‌ କହିଛନ୍ତି: କୋଚିରେ ସେ ହନନଙ୍କୁ ଭେଟିବେ। ଏ ଭଳି କଠିନ ପରିଶ୍ରମୀ ଯୁବତୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ନିନ୍ଦନୀୟ।

ହନନଙ୍କ ଖବର ଶୁଣି ସିନେ ନିର୍ମାତା ଅରୁଣ ଗୋପି ତାଙ୍କୁ ମାଲୟାଲୀ ସୁପର୍‌ଷ୍ଟାର୍‌ ମୋହନଲାଲ୍‌ଙ୍କ ପୁଅ ପ୍ରଣବ ମୋହନଲାଲ୍‌ ଅଭିନୟ କରୁଥିବା ତାଙ୍କର ଏକ ଆଗାମୀ ଚଳଚ୍ଚିତ୍ରରେ ଭୂମିକା ଯାଚିଛନ୍ତି। ଏଥିଯୋଗୁଁ ଗୋପୀ ଛିଗୁଲାମିର ସରବ୍ୟ ହୋଇଥିଲେ ବି ନିଜ କଥାରେ ଅଟଳ ରହିଛନ୍ତି।

ସମ୍ବନ୍ଧିତ ଖବର