ନୂଆଦିଲ୍ଳୀ: କେନ୍ଦ୍ରମନ୍ତ୍ରୀଙ୍କୁ ବି ମିଳୁନି ଭଲ ସୁବିଧା । ଗସ୍ତ ସମୟରେ ଚିରା ଓ ଫଟା ସିଟ୍ରେ ବସି କରିବାକୁ ପଡୁଛି ଯାତ୍ରା । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ବିଟ୍ କରିବା ପରେ ସୋସିଆଲ ମିଡିଆରେ ବଢିଛି ଚର୍ଚ୍ଚା । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ ଟ୍ବିଟ୍ ମଧ୍ୟ କରିଛନ୍ତି ।
ମଧ୍ୟପ୍ରଦେଶର ଜଣାଶୁଣା ନେତା ଶିବରାଜ ସିଂ ଚୌହ୍ବାନ । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଭୋପାଳରୁ ଦିଲ୍ଲୀ ଗସ୍ତରେ ଥିଲେ ମନ୍ତ୍ରୀ । ହେଲେ ସେ ଯେଉଁ ଏୟାରଇଣ୍ଡିଆ ବିମାନରେ ଯାଉଥିଲେ ସେଠାକାର ସିଟ୍କୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସିଟ୍ର ଅବସ୍ଥା କେମିତି ଅଛି ସେନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶିବରାଜ କହିଛନ୍ତି, ଏୟାର ଇଣ୍ଡିଆ ଏଆଇ ୪୩୬ ରେ ତାଙ୍କର ଟିକେଟ୍ ହୋଇଥିଲା । ସିଟ୍ ନମ୍ବର ଥିଲା ୮ ସି । ହେଲେ ସେ ସିଟ୍ ପାଖରେ ପହଞ୍ଚିବା ବେଳକୁ ଦେଖିଥିଲେ କି, ସିଟ୍ରେ ବସିବା କଷ୍ଟକର ଥିଲା । ହେଲେ ବି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍ରେ ବସି ଯାତ୍ରା କରିଥିଲେ । ଖାଲି ଏତିକି ନୁହେଁ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାରଇଣ୍ଡିଆଙ୍କୁ ଟ୍ୟାଗ କରିଥିଲେ ।
ସେପଟେ ବସିବା ପରେ ବିମାନରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ସେ ପ୍ରଶ୍ନ କରିଥିଲେ ଏମିତି ସିଟ୍ ଆପଣ କେମିତି ଦେଲେ । ମନ୍ତ୍ରୀଙ୍କୁ ଅନ୍ୟ ସିଟ୍ରେ ବସି ଯାତ୍ରା କରିବାକୁ କର୍ମଚାରୀମାନେ ଅନୁରୋଧ ବି କରିଥିଲେ । ହେଲେ ମନ୍ତ୍ରୀ କହିଥିଲେ, ନିଜ ସୁବିଧା ଲାଗି ଅନ୍ୟଯାତ୍ରୀଙ୍କୁ କଷ୍ଟଦେବା ଆଦୌ ଠିକ୍ ହେବ ନାହିଁ । ତେଣୁ ସେହି ଫଟା ସିଟ୍ରେ ବସି ମନ୍ତ୍ରୀ ଯାତ୍ରା କରିଥିବା ନେଇ ସୂଚନା ମିଳିଛି ।
ଯାତ୍ରା ପରେ ମନ୍ତ୍ରୀ କହିଛନ୍ତି, ମୁଁ ଭାବୁଥିଲି ଏୟାରଇଣ୍ଡିଆକୁ ଟାଟା ନେବା ପରେଏହାର ଅବସ୍ଥାରେ ସୁଧାର ଆସିଥିବ । ହେଲେ ମୁଁ ଭ୍ରମରେ ଥିଲି । ପୂର୍ବରୁ ଯେଉଁ ସମସ୍ୟା ଦେଖାଯାଉଥିଲା ବର୍ତ୍ତମାନ ସମୟରେ ବି ସେହି ଅବସ୍ଥା ଦେଖାଯାଇଛି । ଯାତ୍ରୀମାନଙ୍କଠାରୁ ଟଙ୍କା ନେବା ପରେ ବି ସେମାନଙ୍କୁ ଏମିତି ସିଟ୍ରେ ବସାଇ ଯାତ୍ରା କରାଇବା ଆଦୌ ଠିକ୍ କଥା ନୁହେଁ ।