ମୁକତାରଙ୍କ ଇସ୍ତଫା ପରେ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ମୁକତାର ଅବ୍ବାସ ନକଭି ଇସ୍ତଫା ଦେବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଅବ୍ବାସ ନକଭି ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଆଜି ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ରାଜ୍ୟସଭା ସଦସ୍ୟ ଭାବେ ସେମାନଙ୍କର କାର୍ଯ୍ୟକାଳ ‌‌ଶେଷ ହେଉଥିବାରୁ ସେମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି ।

ଇସ୍ତଫା ଦେବା ପରେ ମୁକତାର ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତେବେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ବିବୃତି ଦିଆଯାଇ ନାହିଁ କି ନକଭିଙ୍କ ଦ୍ବାରା କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ଉପରାଷ୍ଟ୍ରପତି ଦୌଡରେ କ୍ୟାପଟେନ ଅମରିନ୍ଦର ସିଂ ଓ ଥାଓ୍ବରଚନ୍ଦ ଗେହଲୋଟ ବି ଥିବା ଚର୍ଚ୍ଚା ହେଉଛି ।

 

 

ସମ୍ବନ୍ଧିତ ଖବର