ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ମାତ୍ର ତିନିଦିନ ପୂର୍ବରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ପୁଅକୁ ନେଇ ଏକ ତୃତୀୟ ଭିଡିଓ ସାମ୍ନାକୁ ଆସିଛି। ଏଥିରେ କାନାଡାରେ ରହୁଛନ୍ତି ବୋଲି କହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଦେବେନ୍ଦ୍ର ସିଂହ ତୋମରଙ୍କ ସହ ଗଞ୍ଜେଇ ଚାଷ, ବେନାମୀ ସମ୍ପତ୍ତି କିଣିବା ଏବଂ ୧୦,୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ ସହିତ ସମ୍ପର୍କ ରହିଛି। ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ଏହି ଭିଡିଓଟି ଅନ୍ୟ ଦୁଇଟି ଭିଡ଼ିଓ ଭଳି ନକଲି, ଯେଉଁଥିରେ ଦେବେନ୍ଦ୍ର କୋଟି କୋଟି ଟଙ୍କାର କାରବାର ବିଷୟରେ କହୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ତୋମର କହିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର। ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିସାରିଛନ୍ତି।
ପୂର୍ବ ଭିଡିଓଗୁଡ଼ିକ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିଲେ ଯେ, କେନ୍ଦ୍ରୀୟ ଏଜେନ୍ସିମାନେ କାହିଁକି ଏହି ଅଭିଯୋଗର ତଦନ୍ତ କରୁନାହାନ୍ତି। ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଅଭିଯୋଗ କରିଛନ୍ତି ଯେ ମନିନ୍ଦର ସିଂହ ସିରସା (ଭିଡିଓରେ ଉଲ୍ଲେଖ କରାଯାଇଥିବା ଲୋକଙ୍କ ମଧ୍ୟରୁ ଜଣେ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘନିଷ୍ଠ ବୋଲି ଜଣାପଡିଛି। କେନ୍ଦ୍ର ସରକାର କ’ଣ ପାଇଁ ଅପେକ୍ଷା କରିଛନ୍ତି? ଏଠାରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଭିଡିଓରେ ନିଜକୁ ପ୍ରକାଶ କରୁଛନ୍ତି ଏବଂ କହୁଛନ୍ତି ଯେ ସେ ଦେବେନ୍ଦ୍ର ତୋମରଙ୍କ ମନି ଲଣ୍ଡରିଂ ଏବଂ ଡ୍ରଗ୍ସ କାରବାର ସହିତ ସମ୍ପୃକ୍ତିର ପ୍ରମାଣ ଦେବାକୁ ଇଚ୍ଛୁକ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି ଓ ସିବିଆଇ ଏଥିପ୍ରତି ଦୃଷ୍ଟି ଦେବା କଥା। ନରେନ୍ଦ୍ର ସିଂହ ତୋମରଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ନାକ ତଳୁ ଏଭଳି ଘଟଣା ଘଟିଥିବା ବେଳେ ସେ ସାଧାରଣ ସଭାଗୁଡ଼ିକରେ ଦୁର୍ନୀତି ବିରୋଧରେ କେମିତି କହିବେ? ରାଜ୍ୟ ବିଜେପିର ବରିଷ୍ଠ ମୁଖପାତ୍ର ଡ ହିତେଶ ବାଜପେୟୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘ଏହା କଂଗ୍ରେସର ମିଥ୍ୟା, ମନଗଢ଼ା, ନିର୍ବାଚନଭିତ୍ତିକ ମନ୍ଦ ରାଜନୀତି। କଂଗ୍ରେସ ଧ୍ୱଂସ ହୋଇଯାଇଛି ଏବଂ ଜାଣିଛି ଯେ ସେ ନିର୍ବାଚନ ହାରିବ। ସେଥିପାଇଁ ବିଜେପିର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଏହା କରାଯାଉଛି’ ବୋଲି ସେ କହିଛନ୍ତି।