ବିଲରେ ଖଟୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ବାପାମା’

କୋନୁର (ନାମାକ୍କାଲ) : ତାମିଲନାଡ଼ୁର ଡ. ଏଲ୍‌. ମୁରୁଗାନ୍ ଏବେ ଜଣେ କେନ୍ଦ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। କିନ୍ତୁ ପୁଅ ମନ୍ତ୍ରୀ ହେବା ଖବର ଶୁଣି ବେଶି ଭାବାନ୍ତର ସୃଷ୍ଟି ହୋଇ ନ ଥିଲା ତାଙ୍କର ସରଳ ଶ୍ରମଜୀବୀ ମାତାପିତାଙ୍କ ମନରେ। ସେତେବେଳେ ତାଙ୍କର ମାତା ଏଲ୍‌. ବରୁଡାମ୍ମାଲ (୫୯) ଏବଂ ପିତା ଲୋଗନାଥନ୍ (୬୮) ବିଲରେ କାମ କରୁଥିଲେ। ଏ ଖବର ଶୁଣିବା ପରେ ଉତ୍ସବ ପାଳନ କରିବା ଦୂରେ ଥାଉ ସେମାନେ ବିଲରେ କାମ କରିବା ବି ବନ୍ଦ କରି ନ ଥିଲେ। ସେମାନେ ସ୍ବାଧୀନଚେତା ମଣିଷ। ପୁଅ ଉପରେ ନିର୍ଭର କରି ବଞ୍ଚିବାକୁ ଚାହାନ୍ତି ନାହିଁ। ପୁଅର କୃତିତ୍ବରେ ଖୁସି ହେଲେ ବି ଏଥିପାଇଁ ନିଜର କିଛି ଅବଦାନ ଅଛି ବୋଲି ଭାବନ୍ତି ନାହିଁ। କହନ୍ତି, ପୁଅ ତା’ ନିଜ ଉଦ୍ୟମରେ ବଡ଼ ହୋଇଛି।

ଶନିବାର ସାମ୍ବାଦିକମାନେ ନାମାକ୍କାଲ ଜିଲ୍ଲା ଅନ୍ତର୍ଗତ ମନ୍ତ୍ରୀଙ୍କ ଗାଁ କୋନୁରରେ ପହଞ୍ଚିଥିଲେ। ଗାଁ ମୁଖିଆଙ୍କ ଅନୁମତି ନେଇ ସେମାନେ ବରୁଡ଼ାମ୍ମାଲ ଓ ଲୋଗନାଥନ୍‌ଙ୍କୁ ଭେଟିଥିଲେ। ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ପୁଅ ସ୍ଥାନ ପାଇଥିବାରୁ ଖୁସି ଅଛନ୍ତି ବୋଲି ମା ବରୁଡ଼ାମ୍ମାଲ କହିଥିଲେ। ବାପା ଲୋଗନାଥନ୍‌ଙ୍କୁ ପଚାରିବାରୁ ସେ କହିଲେ, ପୁଅ ମନ୍ତ୍ରୀ ହେଲେ ମୋର କ’ଣ ହୋଇଗଲା? ସେ ତା’ ନିଜ ଉଦ୍ୟମରେ ବଡ଼ ହୋଇଛି। ଏଥିରେ ମୋର କିଛି ଅବଦାନ ନାହିଁ। ଉଭୟ ସ୍ବାମୀ-ସ୍ତ୍ରୀ ବିଲରେ ଖଟି ନିଜ ପେଟ ପୋଷିବା ସହ ନିଜର ସାନ ପୁଅ ୫ ବର୍ଷ ତଳେ ମରିଯାଇଥିବାରୁ ତା’ର ବିଧବା ସ୍ତ୍ରୀ ଓ ପିଲାମାନଙ୍କର ବି ଭରଣପୋଷଣ କରନ୍ତି। ସେମାନେ ଅରୁନ୍ଧତିୟାର ନାମକ ଏକ ଦଳିତ ସମ୍ପ୍ରଦାୟର ଶ୍ରମଜୀବୀ। ଏକ ଛୋଟ ଆଜବେଷ୍ଟସ୍ ଘରେ ରୁହନ୍ତି। ବିଲରେ କାମ ନ ଥିବା ବେଳେ ନିକଟସ୍ଥ ନାମାକ୍କାଲ ବଜାରରେ କୁଲି କାମ ବି କରନ୍ତି। ପୁଅ ବିଷୟରେ ଖୁସି ଖବର ଶୁଣିବା ବେଳେ ସେମାନେ ବିଲରେ କାମ କରୁଥିଲେ। ଦମ୍ପତି ନିଜର ସରଳତା ପାଇଁ ବେଶ୍ ପରିଚିତ।

ମାତା ବରୁଡ଼ାମ୍ମାଲଙ୍କ କହିବା ଅନୁସାରେ ମୁରୁଗାନ୍ ପିଲାଦିନୁ ମେଧାବୀ ଥିଲେ। ସରକାରୀ ସ୍କୁଲରେ ଶିକ୍ଷା ଶେଷ କରିବା ପରେ ସେ ଚେନ୍ନାଇସ୍ଥିତ ଆମ୍ବେଦକର ଆଇନ କଲେଜରେ ଅଧ୍ୟୟନ କଲେ। ମୁରୁଗାନ୍‌ଙ୍କ କଲେଜ ଶିକ୍ଷା ପାଇଁ ତାଙ୍କୁ ବନ୍ଧୁବାନ୍ଧବଙ୍କ ପାଖରୁ ଧାର ଉଧାର କରିବାକୁ ପଡ଼ିଥିଲା ବୋଲି ସେ କହିଥିଲେ। ପୁଣି ସେ କହିଥିଲେ ଯେ, ମୁରୁଗାନ୍ ବାପାମା’ ଉଭୟଙ୍କୁ ଚେନ୍ନାଇ ଯାଇ ତାଙ୍କ ପାଖରେ ରହିବାକୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ବର୍ଷରେ ଥରେ ଅଧେ ଯାଇ ଚାରିଦିନ ରହି ପୁଣି ଗାଁକୁ ଫେରିଆସନ୍ତି। ପୁଅର ବ୍ୟସ୍ତବହୁଳ ଜୀବନଶୈଳୀ ସହିତ ସେମାନେ ଖାପ ଖୁଆଇ ପାରନ୍ତି ନାହିଁ। ଦେହରେ ବଳ ଥିବା ପର୍ଯ୍ୟନ୍ତ ସେମାନେ ପରିଶ୍ରମ କରି ଚଳିବେ ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ ମାତାପିତା ସାମ୍ବାଦିକମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର