କଂଗ୍ରେସ ଓ ନେହରୁଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାରେ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ କଂଗ୍ରେସ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେଇ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି । ଗୋଟିଏ ପଟେ କଂଗ୍ରେସ ମୁକ୍ତ ଭାରତ ବିଜେପିର ସ୍ବପ୍ନ ଥିବା ବେଳେ ବିଜେପି ଏହି ମିସନରେ ଯଥେଷ୍ଟ ଆଗେଇ ଯାଇଛି। ଅନ୍ୟପକ୍ଷରେ ବିଜେପିର କେତେକ ବରିଷ୍ଠ ନେତା କଂଗ୍ରେସର ଏଭଳି ଅବସ୍ଥା ପାଇଁ ସହାନୁଭୂତି ମଧ୍ୟ ଦେଖାଇବା ସହ କଂଗ୍ରେସ ଅଧିକ ସୁଦୃଢ଼ ଓ ସଂଗଠିତ ହେଉ ବୋଲି ପରାମର୍ଶ ଦେବା ରୋଚକ ସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ବିଜେପି କଂଗ୍ରେସ ଏବଂ ନେହରୁଙ୍କ ନୀତିକୁ ସମାଲୋଚନା କରି ଚାଲିଥିବା ବେଳେ ଅନ୍ୟ ପଟେ କେତେକ ବରିଷ୍ଠ ମନ୍ତ୍ରୀ ଏହାର ବିପରୀତ ବୟାନ ଦେଉଛନ୍ତି।

ରବିବାର ଦିନ ରାଜନାଥ କହିଛନ୍ତି ଯେ ନେହରୁଙ୍କ ନୀତି ଭୁଲ୍‌ ହୋଇପାରେ କିନ୍ତୁ ତାଙ୍କର ଉଦ୍ଦେଶ୍ୟକୁ ନେଇ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। କିଛିଦିନ ତଳେ ଗଡ଼କରୀ ମଧ୍ୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କଂଗ୍ରେସକୁ ସଂଗଠିତ ଓ ସୁଦୃଢ଼ ହେବାକୁ ପଡ଼ିବ। କଂଗ୍ରେସ ହତାଶାର ଶିକାର ହୋଇ ବିଚାରଧାରାରୁ ବିଚ୍ୟୁତ ହେବା ଉଚିତ ନୁହେଁ। ଦେଶ ପାଇଁ ଏହା ଶୁଭ ଲକ୍ଷଣ ନୁହେଁ ବୋଲି ସେ କହିଥିଲେ। ଏହି ବୟାନ ପାଇଁ କଂଗ୍ରେସ ଗଡ଼କରୀଙ୍କୁ ପ୍ରଶଂସା କରିଥିଲା। ମୋଦୀ ସରକାରର ଆଉ ଜଣେ ମନ୍ତ୍ରୀ ହରଦୀପ ପୁରୀ ନିକଟରେ କହିଥିଲେ ଯେ କଂଗ୍ରେସ ପୂରା ନିଶ୍ଚିହ୍ନ ହୋଇଯିବା ବିଜେପି କଦାପି ଚାହିବ ନାହିଁ। ଦେଶ ପାଇଁ ବିରୋଧୀ ଦଳର ଆବଶ୍ୟକ ରହିଛି ଏବଂ ବିରୋଧୀ ଦଳର ନେତୃତ୍ବ କିଏ ନେବ ତାହା ସେମାନେ ସ୍ଥିର କରନ୍ତୁ ବୋଲି ପୁରୀ କହିଥିଲେ। ।

ସମ୍ବନ୍ଧିତ ଖବର