କଶ୍ମୀର ଗସ୍ତରେ ଯିବେ ୩୬ ଜଣ କେନ୍ଦ୍ରମନ୍ତ୍ରୀ, ଧାରା ୩୭୦ ପ୍ରତ୍ୟାହାରର ଉପଯୋଗିତା ସଂପର୍କରେ ଲୋକଙ୍କୁ ବୁଝାଇବେ

ନୂଆଦିଲ୍ଲୀ : ଚଳିତ ମାସ ୩ୟ ସପ୍ତାହରେ ପ୍ରାୟ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବାର ସମ୍ଭାବନା ରହିଛି । ଏ ସଂପର୍କରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯିବ । ସମ୍ଭବତଃ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆସନ୍ତା ୧୯ ତାରିଖରେ କଶ୍ମୀର ଯାଇ ଲୋକମାନଙ୍କୁ ଧାରା ୩୭୦ ହଟିବାର ଲାଭ ସଂପର୍କରେ ଲୋକମାନଙ୍କୁ ଅବଗତ କରିବେ । ମନ୍ତ୍ରୀମାନେ ଜାନୁଆରି ୧୮ରୁ ୨୪ ମଧ୍ୟରେ ସେଠାକୁ ଯିବେ ।

ଜମ୍ମୁ ଓ କଶ୍ମୀରରେ ଗତ ଅଗଷ୍ଟ ମାସଠାରୁ ଲାଗୁ ହୋଇଥିବା କଟକଣାକୁ ନେଇ ସରକାରଙ୍କ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାପ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ସପ୍ତାହରେ କେତେକ ବିଦେଶୀ ପ୍ରତିନିଧିଙ୍କୁ କଶ୍ମୀର ଯିବାକୁ ଅନୁମତି ଦେଇଥିଲେ । ଏହା ପରେ ବୁଧବାରଦିନ ଇଣ୍ଟରନେଟ ସେବାକୁ ଆଂଶିକଭାବେ ଚାଲୁ କରାଯାଇଥିଲା ।

କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ଦୀର୍ଘ ଦିନ ଧରି ଏପରି ଇଣ୍ଟରନେଟ ସେବା ବନ୍ଦକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କ ଉପରେ ବିରକ୍ତ ହୋଇଥିଲେ ।

ସମ୍ବନ୍ଧିତ ଖବର