ନୂଆ କୃଷି ଆଇନ ବିରୋଧରେ ସୁପ୍ରିମ କୋର୍ଟ ଗଲା ଭାରତୀୟ କିଷାନ ୟୁନିୟନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିୟନ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡ଼ିକୁ ରଦ୍ଦ କରିବାକୁ ୟୁନିୟନ ନିଜ ଆବେଦନରେ ଦର୍ଶାଇଛି ।

ଭାରତୀୟ କିଷାନ ୟୁନିୟନର ସଭାପତି ଭାନୁ ପ୍ରତାପ ସିଂ ଏହି ପିଟିସନ ଫାଇଲ କରିଛନ୍ତି । ନିଜ ପିଟିସନରେ ସେ ଦର୍ଶାଇଛନ୍ତି ଯେ ନୂଆ କୃଷି ଆଇନ ଭାରତୀୟ କୃଷିର ବ୍ୟବସାୟିକରଣ କରିବ ଓ କୃଷକମାନଙ୍କୁ କର୍ପୋରେଟ ହାଉସମାନଙ୍କ ନିୟନ୍ତ୍ରଣରେ ରଖିବ । ସେ କହିଛନ୍ତି ଯେ ଏହି କୃଷି ଆଇନଗୁଡ଼ିକ ବିନା ଆଲୋଚନା ଓ ସହମତିରେ ଗୃହୀତ ହୋଇଛି । ଏସବୁ ଆଇନ ବିରୁଦ୍ଧରେ କୃଷକ ସଂଗଠନଗୁଡ଼ିକ ଖୁବଶୀଘ୍ର ରେଳ ରୋକ କରିବେ ।

ଗତକାଲି ଆନ୍ଦୋଳନକାରୀ କୃଷକମାନେ ଧମକ ଦେଇଥିଲେ ଯେ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ, ଆନ୍ଦୋଳନକୁ ରେଳଧାରଣା ଉପରକୁ ନିଆଯିବ । ସାରା ଦେଶରେ ଲୋକମାନେ ରେଳଧାରଣା ଉପରେ ବସିବେ । ଏହା ସହିତ ଦିଲ୍ଲୀକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯିବ । ଏହା ସହିତ ସାରା ଦେଶରେ ଆନ୍ଦୋଳନ କରାଯିବ ।

ଗତ ସେପ୍ଟେମ୍ବର ମାସରେ ମଧ୍ୟ ସୁପ୍ରିମକୋର୍ଟରେ ନୂଆ କୃଷି ଆଇନ ବିରୋଧରେ ମାମଲା ଦାୟର ହୋଇଥିଲା । ଏ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର