ଭଡା ପରେ ଦେବ, ଆଗ ପାଣି ଟିକେ ପିଇଦିଅ କହି ଯାତ୍ରୀଙ୍କ ହାତକୁ ପାଣି ବଢ଼େଇଦିଅନ୍ତି ଏହି କଣ୍ଡକ୍ଟର

ଚଣ୍ଡୀଗଡ଼: ଧରିନିଅନ୍ତୁ ଆପଣ ବସରେ କଟକରୁ ଯାଜପୁର ଯାଉଛନ୍ତି | ପ୍ରବଳ ଗୁଳୁଗୁଳି ଯୋଗୁଁ ଆପଣଙ୍କୁ ଶୋଷ ହେଉଛି ଓ ଆପଣଙ୍କ ପାଖରେ ପାଣି ବୋତଲ ନାହିଁ | ଠିକ ଏହି ସମୟରେ କଣ୍ଡକ୍ଟର ଢାଳଟିଏ ଆଣି ଆସିବେ ଆଉ ଆପଣଙ୍କୁ ପାଣି ପିଇବାକୁ ଦେବେ | ବିନା ପାଣିରେ ଚେତା ହରାଇବା ପୂର୍ବରୁ ଆପଣଙ୍କୁ ପାଣି ଦେଉଥିବା ଏହି ବ୍ୟକ୍ତିଙ୍କୁ ଆପଣ କଣ କହିବେ ? ଭଡା ପଛେ, ଜୀବନ ଆଗକୁ ବୁଝୁଥିବା ଏହି କଣ୍ଡକ୍ଟରଙ୍କୁ ଜଣେ ଦେବଦୂତ କହିବା ଭୁଲ ହେବ ନାହିଁ | ଆଜି ଆମେ ହରିୟାଣାର ଏମିତି ଜଣେ କଣ୍ଡକ୍ଟରଙ୍କ ବାବଦରେ କହିବୁ, ଯିଏ କି ଦୀର୍ଘ ୧୨ ବର୍ଷ ଧରି ଯାତ୍ରୀଙ୍କୁ ପାଣି ଯୋଗାଇ ଆସୁଛନ୍ତି |


ହରିୟାଣା ରୋଡୱେ ବସରେ କଣ୍ଡକ୍ଟର ଭାବେ ଡ୍ୟୁଟି କରୁଥିବା ସୁରେନ୍ଦ୍ର ଶର୍ମା କିଛି ଏହି କାର୍ଯ୍ୟ କରନ୍ତି | ରବିବାର ଦିନ ହରିୟାଣାରୁ ରାଜ୍ୟସଭା ସାଂସଦ ଥିବା ଦୀପେନ୍ଦ୍ର ସିଂ ହୁଡା ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ ପାଣି ଢାଳ ଧରି ଠିଆ ହୋଇଥିବା ସୁରେନ୍ଦ୍ର ଶର୍ମାଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଯେଉଁ ବସ୍‌ରେ ସୁରେନ୍ଦ୍ର ଡ୍ୟୁଟିରେ ଥାନ୍ତି, ସେ ବସରେ ପାଣି ରଖିଥାନ୍ତି | ଯିଏ ବି ଯାତ୍ରୀ ବସ୍‌ରେ ଯିବା ମାତ୍ରେ ସେ ତାଙ୍କୁ ପିଇବାକୁ ପାଣି ଦିଅନ୍ତି | ଯାତ୍ରୀ ଜଣକ ପାଣି ପିଇ ସାଷ୍ଟାମ ହେବା ପରେ ସେମାନଙ୍କର ଟିକେଟ୍ କାଟନ୍ତି |

ସୁରେନ୍ଦ୍ର ରୋହତକ ଜିଲ୍ଲାର ଭଲି ଆନନ୍ଦପୁରରେ ରହୁଥିବାବେଳେ ଏବଂ ନିଜର ଏଭଳି କର୍ତ୍ତବ୍ୟ କରି ଲୋକଙ୍କ ମନରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି। ବିଶେଷ କରି ସେ କଣ୍ଡକ୍ଟର ଥିବା ବସରେ ଯେଉଁ ଯାତ୍ରୀ ଥରେ ବି ଯାଆନ୍ତି ସୁରେନ୍ଦ୍ରଙ୍କ ଏଭଳି ବ୍ୟବହାରକୁ ସବୁଦିନ ପାଇଁ ମନେ ରଖନ୍ତି | ସୂଚନା ଥାଉ କି ଯେ ସୁରେନ୍ଦ୍ର ଗତ ୧୨ ବର୍ଷ ଧରି କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ଚାକିରିରେ ଯୋଗଦେବା ପରଠାରୁ ସେ ବସ୍‌ରେ ଏଭଳି କାର୍ଯ୍ୟ କରିଆସୁଛନ୍ତି।

ସମ୍ବନ୍ଧିତ ଖବର