ଦୀପ ଜଳିବ, ବାଣ ଭଳି ଶବ୍ଦ ବି ହେବ, ୧୨ ବର୍ଷର ଝିଅ ପ୍ରସ୍ତୁତ କଲେ ନିଆରା ଦୀପ

ନୂଆଦିଲ୍ଲୀ: ଦୀପାବଳି ପର୍ବ ଅତ୍ୟନ୍ତ ଅନନ୍ୟ | ତେବେ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ରାଜ୍ୟ ସରକାର ବାଣ ବିକ୍ରିକୁ ଅନୁମତି ଦେଇନାହାନ୍ତି | ପ୍ରଦୂଷଣ ସହ ସଂକ୍ରମଣ ବ୍ୟାପିବାର ଆଶଙ୍କା କରି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ରହିଛି | ତେବେ ଏଥର ଦୀପାବଳି ପାଇଁ ଏକ ବିଶେଷ ପ୍ରକାରର ଦୀପ ପ୍ରସ୍ତୁତ କରିଛନ୍ତି ଜଣେ ଛାତ୍ରୀ | ଏହି ଦୀପ ଜଳିବା ସାଙ୍ଗକୁ ବାଣ ଭଳି ଶବ୍ଦ ମଧ୍ୟ କରିବ | ଉତ୍ତରପ୍ରଦେଶର ବାରାଣାସୀର ଜଣେ ଛାତ୍ରୀ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦୀପ ତିଆରି କରିଛନ୍ତି। ଯେଉଁଥିରେ କୌଣସି ବିପଦ ନାହିଁ କିମ୍ବା ଏହା ପ୍ରଦୂଷଣର କାରଣ ସାଜିବ ନାହିଁ |

ସୂଚନାନୁସାରେ, ବାରାଣାସୀର ସପ୍ତମ ଶ୍ରେଣୀରେ ଛାତ୍ରୀ ଅପେକ୍ଷା ପଟେଲ ଏହି ଅନନ୍ୟ ଦୀପ ତିଆରି କରିଛନ୍ତି। ଏହି ଦୀପ ସେ ମାଟିରେ ପ୍ରସ୍ତୁତ କରିଥିବାବେଳେ ଏହାକୁ ଆପଣ ଗ୍ରୀନ ଦୀପ ବୋଲି ମଧ୍ୟ କହିପାରିବେ | କାରଣ ଏହି ଦୀପ ସୌର ଶକ୍ତିରେ ମଧ୍ୟ ଚାର୍ଜ ହୋଇପାରିଥାଏ | ଏହି ଦୀପରେ ଜଣେ ଚାହିଁଲେ ତେଲ ମଧ୍ୟ ବ୍ୟବହାର କରିପାରିବେ | ଅପେକ୍ଷାଙ୍କ ଏହି ସ୍ମାର୍ଟ ଦୀପରେ ଏପରି କୌଶଳ ବ୍ୟବହାର କରାଯାଇଛି ଯେ ଆଲୋକ ସହିତ ଏଥିରେ ବାଣ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇପାରିବ | ଏହି ଦୀପର ନାମ ସେ ଚାରଜେବୁଲ ପ୍ରଦୂଷଣ ମୁକ୍ତ ଦୀପ ରଖିଛନ୍ତି |

ଏହି ଦୀପ ଏକ ରିମୋଟ ମାଧ୍ୟମରେ ଜଳୁଥିବାବେଳେ, ଏଥିରେ ଏକ ସେନସର ଲାଗିଛି ଏବଂ ଦୀପ ସାମ୍ନାକୁ ଆସିବା ମାତ୍ରେ ବାଣ ଫୁଟିବା ପରି ଶବ୍ଦ କରିଥାଏ | ଥରେ ଚାର୍ଜ କରିବା ମାତ୍ରେ ଏହି ଦୀପ ୪୫୦ ଥର ଶବ୍ଦ ସୃଷ୍ଟି କରିଥାଏ | ତିନି ଘଣ୍ଟା ଚାର୍ଜ କରିବା ଦ୍ୱାରା, ଏହି ଦୀପ ୪-୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ | ପ୍ରଦୂଷଣମୁକ୍ତ ସ୍ମାର୍ଟ ଦୀପ ତିଆରି କରିବାକୁ ୧୨ ଦିନ ସମୟ ଲାଗିଥିବାବେଳେ ଏହାକୁ ନିର୍ମାଣ କରିବାକୁ ୩୫୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର