ଲଖନଉ: ୨୨ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇଥିବାବେଳେ କାଉଡିଆମାନେ ଗତକାଲି ଶ୍ରାବଣର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥିଲେ | ତେବେ କାଉଡିଆଙ୍କ ଏହି ଯାତ୍ରା ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ | ତେବେ ଏହି ସମୟ ମଧ୍ୟରେ ବୁଲନ୍ଦଶହରରୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା | ଜଣେ ବୃଦ୍ଧ ମହିଳାଙ୍କୁ ତାଙ୍କ ପୁଅ ଏବଂ ବୋହୂ ଭାର କରି ବୋହି ନେଇ ଯାଇଥିଲେ | ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସ୍ୱାମୀ-ସ୍ତ୍ରୀ ପବିତ୍ର ଜଳର କଳସି ସହ ଏକ ଭାରରେ ତାଙ୍କ ଶାଶୁକୁ କାନ୍ଧେଇ ନେଇଥିଲେ | ଉଭୟ ସ୍ୱାମୀ-ସ୍ତ୍ରୀଙ୍କର କହିବା କଥା ଯେ ତାଙ୍କ ବୃଦ୍ଧ ମା ଇଚ୍ଛା ଥିଲା ଯେ ସେ ବି ଜଳାଭିଷେକ କରିବେ |
ତେଣୁ ରାମକୁମାର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ତାଙ୍କୁ ବାହୁଙ୍ଗିରେ ବୋହି ବୋହି ଶିବ ମନ୍ଦିର ଯାଏଁ ନେଇଯାଇଥିଲେ | ଆଜିକାଲି ଯେଉଁଠି ଶାଶୁ-ବୋହୂ କଳି ଝଗଡା ଲାଗୁଥିବାର ଅନେକ ଖବର ସାମ୍ନାକୁ ଆସୁଛି, ସେତେବେଳେ ବୋହୂ ତାଙ୍କ ଶାଶୁଙ୍କୁ ବୋହି ନେଉଛନ୍ତି | ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ଭାବପ୍ରବଣ ହୋଇପଡିଥିଲେ ଓ ପୁଅ-ବୋହୂଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ | ରାମକୁମାର କହିଛନ୍ତି ଯେ ତାଙ୍କର ୬୦ ବର୍ଷ ବୟସ୍କା ମାତା ସରୋଜ ଦେବୀଙ୍କ ଇଚ୍ଛା ଥିଲା ଯେ ସେ ବି ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳାଭିଷେକ କରାଇବେ | ହେଲେ ସିଏ ଚାଲିପାରୁନଥିଲେ | ଏଥିପାଇଁ ପୁଅ ବୋହୂ ତାଙ୍କ ମାଙ୍କୁ ୬୫ କିଲୋମିଟର ଦୂରରେ ଥିବା ଶିବ ମନ୍ଦିରକୁ ନେଇ ଜଳାଭିଷେକ କରାଇଥିଲେ |