ଭାରତ ଉପରେ ପଡିଲା ଇରାନ-ଆମେରିକା ମଧ୍ୟରେ ତିକ୍ତତାର ପ୍ରଭାବ

ଆମେରିକା-ଭାରତ ଉଡାଣକୁ ବାତିଲ କଲା ୟୁନାଇଟେଡ଼ ଏୟାରଲାଇନ୍ସ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢିଥିବା ତିକ୍ତତାର ପ୍ରଭାବ ଭାରତ ଉପରେ ପଡିଛି | କାରଣ ଭାରତକୁ ଆସୁଥିବା ବିମାନସେବାକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି | ଆମେରିକାର ୟୁନାଇଟେଡ଼ ଏୟାରଲାଇନ୍ସ ନେବାର୍କ ଏୟାରପୋର୍ଟରୁ ମୁମ୍ବାଇ ମଧ୍ୟରେ ଉଡ଼ାଣକୁ ବାତିଲ କରାଯାଇଛି | କାରଣ ଆମେରିକାରୁ ମୁମ୍ବାଇକୁ ଆସୁଥିବା ବିମାନ ଇରାନର ଆକାଶପଥ ଦେଇ ଆସିଥାଏ |

ଆମେରିକାର ଏହି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଇରାନ ଦ୍ୱାରା ଆମେରିକାର ଏକ ଡ୍ରୋନକୁ ଖସାଇ ଦିଆଯାଇଥିଲା | ଯାହାଫଳରେ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି | ତେବେ କେତେ ଦିନ ଯାଏଁ ଉଡ଼ାଣକୁ ବାତିଲ କରାଯାଇଛି ତାହା ନେଇ କୌଣସି ସୂଚନା ଦିଆଯାଇନାହିଁ | ଇରାନ ପକ୍ଷରୁ ଆମେରିକାର ଗୁପ୍ତଚର ଡ୍ରୋନକୁ ମାରି ଖସେଇବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ।

ଇରାନ ଏକ ମସ୍ତବଡ଼ ଭୁଲ କରିଦେଲା ବୋଲି ସେ କହିଥିଲେ | ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି | ତେବେ ଭାରତୀୟ ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା କରି ଭାରତକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର