ଅନ୍ୟ ଦେଶରେ ରାଜନୈତିକ ଶରଣ, ୫୨,୦୦୦ ଭାରତୀୟଙ୍କ ଆବେଦନ

ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ସ୍ବଦେଶରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କଲେ ଅନ୍ୟ ଦେଶରେ ରାଜନୈତିକ ଆଶ୍ରୟ ପାଇଁ ଅନୁମତି ଲୋଡ଼ିଥାନ୍ତି। ଭାରତରେ ମଧ୍ୟ ଅନେକ ସଂଖ୍ୟାରେ ଲୋକ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ବିଦେଶୀ ରାଷ୍ଟ୍ରରେ ଆଶ୍ରୟ ନେଉଛନ୍ତି ଏବଂ ଏଥିପାଇଁ ରାଜନୈତିକ ଶରଣ ପାଇଁ ଆବେଦନ କରୁଛନ୍ତି। ତେବେ ଜଣାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ତଥା ୨୦୦୮ରୁ ୨୦୧୮ ମଧ୍ୟରେ ଭାରତୀୟମାନେ ବିଦେଶରେ ରାଜନୈତିକ ଶରଣ ପାଇଁ ଆବେଦନ କରିବା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭାରତରେ ୨୦୦୮ରୁ ୨୦୧୮ ମଧ୍ୟରେ ଏଭଳି ବ୍ୟକ୍ତିଙ୍କ ସଂଖ୍ୟାରେ ୯୯୬ ପ୍ରତିଶତ ବୃଦ୍ଧି ପାଇଛି।

ୟୁଏନ୍‌ଏଚସିଆର (ୟୁନାଇଟେଡ୍‌ ନେସନ୍ସ ହାଇ କମିସନର ଫର୍‌ ରିଫ୍ୟୁଜିସ୍‌)ର ତଥ୍ୟ ଆଧାରରେ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୦୯ ମସିହାରେ କେବଳ ୪,୭୨୨ ଜଣ ଭାରତୀୟ ନିଜ ଦେଶରେ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ଅନ୍ୟ ଦେଶରେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିଲେ। ତେବେ ୨୦୧୮ ସୁଦ୍ଧା ଏହି ସଂଖ୍ୟା ୫୧,୭୬୯କୁ ବୃଦ୍ଧି ପାଇଥିଲା। ଏହି ୧୦ ବର୍ଷ ମଧ୍ୟରେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିବା ଭାରତୀୟମାନେ ଅଧିକାଂଶ ଆମେରିକା ଏବଂ କାନାଡ଼ାକୁ ପସନ୍ଦ କରିଛନ୍ତି। ୨୦୦୯ରେ ୧,୩୨୧ ଜଣ ଆମେରିକାରେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିବାବେଳେ କାନାଡ଼ାରେ ୧,୦୩୯ ଜଣ ଶରଣ ପାଇଁ ଆବେଦନ କରିଥିଲେ। ସେହିପରି ୨୦୧୮ରେ ୨୮, ୪୮୯ ଭାରତୀୟ ଆମେରିକାରେ ଶରଣ ପାଇଁ ଆବେଦନ କରିଥିବା‌ବେଳେ ୫,୫୨୨ ଜଣ କାନାଡ଼ାରେ ରାଜନୈତିକ ଶରଣ ପାଇଁ ଆବେଦନ କରିଥିଲେ। ଆମେରିକା ଏବଂ କାନାଡ଼ା ପରେ ୨୦୧୮ ରେ ଦକ୍ଷିଣ ଆଫ୍ରିକାରେ ୪,୩୨୯, ଅଷ୍ଟ୍ରେଲିଆରେ ୩,୫୮୪, ବ୍ରିଟେନ୍‌ରେ ୧,୬୬୭, ଦକ୍ଷିଣ କୋରିଆରେ ୧୬୫୭ ଏବଂ ଜର୍ମାନିରେ ୧୩୧୩ ଜଣ ଭାରତୀୟ ଶରଣ ପାଇଁ ଆବେଦନ କରିଥିଲେ। ତେବେ ଏହି ସବୁ ଦେଶଗୁଡ଼ିକରେ ଅର୍ଥନୀତି ସୁଦୃଢ଼ ରହିଥିବାରୁ ଅନେକ ଭାରତୀୟ ସେଠାରେ ରାଜନୈତିକ ଶରଣ ଲୋଡ଼ିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ନିକଟରେ ଯୁଦ୍ଧ ଏବଂ ଅସନ୍ତୋଷ ଦେଖାଦେଇଥିବା ରାଷ୍ଟ୍ର- ୟେମେନ୍‌, ସୁଦାନ, ‌ବୋସନିଆ ଏବଂ ବୁରୁଣ୍ଡିରେ ମଧ୍ୟ ଅନେକ ସଂଖ୍ୟାରେ ଭାରତୀୟ ରାଜନୈତିକ ଶରଣ ପାଇଁ ଆବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର