ୱାସିଂଟନ୍‌: ସାରା ବିଶ୍ବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ବିଶ୍ବ୍ବ୍ୟବ୍ୟାପୀ ରହିଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧୭.୫ ନିୟୁତ। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଭାରତକୁ ୨୦୧୮ରେ ୭୮.୬ ବିଲିଅନ ଡଲାର ପଠାଇଛନ୍ତି। ଆଇଓଏମ୍‌ (ଇଣ୍ଟରନ୍ୟାସନାଲ୍‌ ଅର୍ଗାନାଇଜେସନ୍ ଫର୍‌ ମାଇଗ୍ରେସନ୍‌) ‘ବୈଶ୍ବିକ ପ୍ରବାସୀ ରିପୋର୍ଟ-୨୦୨୦’ରୁ ଏହା ଜଣାପଡ଼ିଛି। ୨୦୧୯ରେ ସାରା ବିଶ୍ବରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ୨୭୦ ନିୟୁତ ରହିଛି। ତେବେ ଆମେରିକାରେ ସବୁଠୁ ଅଧିକ ୫୧ ନିୟୁତ ପ୍ରବାସୀ ରହୁଛନ୍ତି।

Advertisment

publive-image

ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ତଥା ପ୍ରାୟ ୧୪୧ ନିୟୁତ ୟୁରୋପ୍‌ ଏବଂ ଉତ୍ତର ଆମେରିକାରେ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ପୁରୁଷ। ତେବେ ସମସ୍ତ ପ୍ରବାସୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କାମ ପାଇଁ ବିଦେଶ ଯାଉଛନ୍ତି। କିନ୍ତୁ ସାରା ବିଶ୍ବରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ସବୁଠୁ ଅଧିକ। ଭାରତରୁ ୧୭.୫ ନିୟୁତ ପ୍ରବାସୀ ବିଦେଶରେ ରହୁଛନ୍ତି। ଏହା ପଛକୁ ମେକ୍ସିକୋରୁ ୧୧.୮ ନିୟୁତ, ଚୀନ୍‌ରୁ ୧୦.୭ ନିୟୁତ ପ୍ରବାସୀ ବିଦେଶରେ ରହୁଛନ୍ତି। ଅଧିକାଂଶ ପ୍ରବାସୀ ଆମେରିକା ଗସ୍ତ କରୁଥିବା ବେଳେ ରୁଷିଆ, ୟୁଏଇ ଏବଂ ସାଉଦି ଆରବ ମଧ୍ୟ ପ୍ରବାସୀଙ୍କ ପସନ୍ଦର ସ୍ଥାନ ହୋଇଛି। ଆଗାମୀ ଦଶନ୍ଧିରେ କିଛି ବିକାଶଶୀଳ ଦେଶର ଜନସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଏହାଦ୍ବାରା ପ୍ରବାସୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଇଓଏମ୍‌ ପକ୍ଷରୁ କୁହାଯାଇଛି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ସବୁଠୁ ଅଧିକ ଅସ୍ଥାୟୀ ପ୍ରବାସୀ ଶ୍ରମିକ ରହୁଛନ୍ତି।