୨୦ ବର୍ଷ ହେଲା ପତ୍ତା ପାଇନଥିଲା ଆମେରିକା: ସାମନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି

ଧରିବା ଲାଗି ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା ହୋଇଥିଲା

କାବୁଲ: ଆଫଗାନିସ୍ତାନର ଗୃହମନ୍ତ୍ରୀ ତଥା କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ପ୍ରଥମ ଥର ମିଡିଆ ସାମନାକୁ ଆସିଛି। ଆମେରିକା ସେନା ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଥିଲେ ବି ତା’ର ପତ୍ତା ପାଇନଥିଲେ। ତାକୁ ଧରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲେ। ତାକୁ ପାଇବାତ ଦୂରର କଥା ତା’ର ଫଟୋ ବି ହାସଲ କରିବାରେ ସକ୍ଷମ ହୋଇ ନଥିଲେ। ହେଲେ ଶନିବାର କାବୁଲରେ ଆଫଗାନିସ୍ତାନ ପୁଲିସର ‘ପାସିଂ ଆଉଟ୍ ପରେଡ୍’ ଥିଲା। ଏହି ସମୟରେ ତାଲିବାନର ଅନେକ ବଡ ନେତା ସାମିଲ ଥିଲେ। ତେବେ ସିରାଜୁଦ୍ଦିନ ମଞ୍ଚ ଉପରେ ପହଞ୍ଚିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାବୁଲ ଛାଡିବା ପାଇଁ ଆମେରିକା ଘୋଷଣା କରିବା ପରେ ତାଲିବାନମାନେ ତତ୍ପର ହୋଇ ଉଠିଥିଲେ। ସେହି ଦିନଠାରୁ କାବୁଲର ବିଭିନ୍ନ ସହରକୁ ନିଜ ହେପାଜତକୁ ଆଣିବାକୁ ଲାଗି ପଡିଥିଲେ। ପରେ ସେଠାକାର ଅସରଫ ଘାନି ସରକାରଙ୍କୁ ପରାସ୍ତ କରି ୧୫ ଅଗଷ୍ଟ ୨୦୨୧ରେ ତାଲିବାନ କାବୁଲ ଦଖଲ କରଥିଲା। ପରେ ତାଲିବାନମାନେ ଆଫଗାନିସ୍ତାନରେ ସରକାର ଗଢ଼ିଲେ। ଏହି ସରକାରରେ ପ୍ରାୟ ଆତଙ୍କବାଦୀ ସାମିଲ ଅଛନ୍ତି। ସେମାନଙ୍କ ଭିତରୁ ଅନେକ ଆତଙ୍କବାଦୀଙ୍କୁ ଧରିବା ପାଇଁ ଆମେରିକା ପୁରସ୍କାର ରାଶି ଘୋଷଣା କରିଥିଲେ।

ସେହି ସରକାରରେ ଆମେରିକାର ମୋଷ୍ଟ ୱାଣ୍ଟେଡ ଥିବା ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନି ଗୃହ ମନ୍ତ୍ରୀ ଅଛି। ସିରାଜୁଦ୍ଦିନ ସହ ମୁଲ୍ଲା ବରାଦର ଓ ହସନ ଅଖୁନ୍ଦଜାଦା ବି ଅଛନ୍ତି। ତେବେ ମୁଲ୍ଲା ଓ ହସନ ମିଡିଆ ସାମନାକୁ ଆସିଯାଇଥିବାବେଳେ ଶନିବାର ପ୍ରଥମ ଥର ପାଇଁ ମିଡିଆ ସମ୍ମୁଖକୁ ଆସିଛି ସିରାଜୁଦ୍ଦିନ। ସେ ଭାଷଣ ବି ଦେଇଛି। ସେ କହିଛି ଯେ,  ଆପଣଙ୍କ ସନ୍ତୁଷ୍ଟି ଓ ଭରସା ପାଇଁ ମୁଁ ମିଡିଆ ସାମନାକୁ ଆସିଛି। ଆପଣଙ୍କ ସହ କଥା ହେଉଛି। ଆମକୁ କାମ ଦ୍ଵାରା ଲୋକମାନଙ୍କ ବିଶ୍ଵାସ ଜିତିବାକୁ ପଡିବ ଓ ଏଥିପାଇଁ ପ୍ରୟାସ ଜାରି ରହିଛି। ଏଥି ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ସେ କହିଥିଲା।

ପାକିସ୍ତାନ-ଆଫଗାନିସ୍ତାନର କବାୟଲୀ ଅଞ୍ଚଳରେ ରହୁଥିବା ଏକ ଗୋଷ୍ଠୀକୁ ହକ୍କାନି କବୀଲା କୁହାଯାଉଛି। ପ୍ରକୃତରେ ହକ୍କାନୀମାନେ ମସଜିଦ୍ ଓ ମଦ୍ରାସା ସହ ଜଡିତଥିବା ଲୋକ । ହକ୍କାନି କୌଣସି ଜାତିର ନାମ ନୁହେଁ, ଏକ ସ୍ଵତନ୍ତ୍ର ମଦ୍ରାସାରୁ ଆସୁଥିବା ଛାତ୍ରମାନଙ୍କୁ ହକ୍କାନି ଗ୍ରୁପ୍ କୁହାଯାଏ। ଏଥିମଧ୍ୟରୁ ଅଧିକାଂଶ ଲୋକ ପାକିସ୍ତାନର ପେଶାଓ୍ଵାରର। ଆମେରିକା ହକ୍କାନି ଗୋଷ୍ଠୀକୁ ହକ୍କାନୀ ନେଟଓ୍ଵର୍କ ବୋଲି ପ୍ରତିପାଦିତ କରିଛି।

ସମ୍ବନ୍ଧିତ ଖବର