ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସୋମବାର କେନ୍ଦ୍ର ଶିକ୍ଷା, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଡ଼ିଜିଟାଲ ଲର୍ଣ୍ଣିଂ ଏବଂ ଟ୍ରେନିଂ ରିସୋର୍ସେସ ଏବଂ ସ୍କୁଲ ଅଫ୍ ଫିଜିକ୍ସ ଏଣ୍ଡ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜିର ଉଦଘାଟନ କରି ସେ କହିଲେ ଯେ, ବିଶ୍ୱବିଦ୍ୟାଳୟ ହେଉଛି ଅନେକ ନୂତନ ପଦ୍ଧତିର ସମାହାର ।
ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଦରକାର । ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବ । ତେଣୁ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ଦକ୍ଷତା ସହ ଯୋଡ଼ିବାକୁ ହେବ । ଯୁବବର୍ଗଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରାଗଲେ ଆର୍ଥିକ ଅଭିବୃଦ୍ଧି ହାସଲ ହୋଇପାରିବ । ଏହାବ୍ୟତିତ ଆମେ ସମସ୍ତେ ଆମର ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଉଚିତ୍ । କାରଣ ସବୁ ଭାରତୀୟ ଭାଷା ଆମର ରାଷ୍ଟ୍ରଭାଷା । ଓଡିଆ, ହିନ୍ଦୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ ଭଳି ସବୁ ଆଂଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ସେ ମତବ୍ୟକ୍ତ କରିଛନ୍ତି ।