ନୂଆଦିଲ୍ଲୀ: ନୂଆଦିଲ୍ଲୀ ଭାରତ ମଣ୍ଡପମ୍ରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ବିଶ୍ବବିଦ୍ୟାଳୟ ନିଜ ଷ୍ଟଲ୍ରେ ଚୀନରେ ପ୍ରସ୍ତୁତ ଏକ ରୋବଟ୍କୁ ନିଜର ଉତ୍ପାଦ ଭାବେ ପ୍ରଦର୍ଶନ କରି ହଟହଟା ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ବିଶ୍ବବିଦ୍ୟାଳୟକୁ ସମ୍ମିଳନୀରୁ ବିଦା କରାଯାଇଛି। ସଂପୃକ୍ତ ସଂସ୍ଥାକୁ ଦିଆଯାଇଥିବା ଷ୍ଟଲ୍ର ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରି ଦିଆଯାଇଛି। କେବଳ ଚୀନ ରୋବଟ୍ ନୁହେଁ, ଦକ୍ଷିଣ କୋରିଆର ଫୁଟବଲ ସଦୃଶ ଡ୍ରୋନ୍କୁ ମଧ୍ୟ ଏହି ବିଶ୍ବବିଦ୍ୟାଳୟ ନିଜର ଉତ୍ପାଦ ବୋଲି ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ବିଶ୍ବବିଦ୍ୟାଳୟ କ୍ଷମା ପ୍ରାର୍ଥନା କରିଛି।
ଏଆଇ ସମ୍ମିଳନୀରେ ଘରୋଇ ଗାଲ୍ଗୋଟିଆସ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଓରିଅନ୍’ ନାମରେ ଏକ କୁକୁର ଭଳି ଦେଖା ଯାଉଥିବା ରୋବଟ୍ ପ୍ରଦର୍ଶନ କରାଯାଇଥିଲା। ତାହା ଚୀନର କମ୍ପାନି ୟୁନିଟ୍ରି ଦ୍ବାରା ପ୍ରସ୍ତୁତ ଏକ ୟୁନିଟ୍ରି ଜିଓ୨ ରୋବଟ୍ ବୋଲି ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ବିଶ୍ବବିଦ୍ୟାଳୟକୁ ତୀବ୍ର ନିନ୍ଦା କରାଯାଇଥିଲା। ଆମଦାନି କରାଯାଇଥିବା ରୋବଟ୍କୁ ନିଜର ନବସୃଜନ ଭାବେ ବିଶ୍ବବିଦ୍ୟାଳୟ ଦର୍ଶାଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଥିଲେ। ଇଣ୍ଡିଆ ଏଆଇ ସମ୍ମିଳନୀକୁ ଚୀନ୍ ଉତ୍ପାଦ ପ୍ରଦର୍ଶନ ପାଇଁ ଆୟୋଜନ କରାଯାଇଥିବା କହି ତାଚ୍ଛଲ୍ୟ କରିଥିଲେ।
ଫୁଟବଲ୍ ଭଳି ଦେଖାଯାଉଥିବା ଡ୍ରୋନ୍ ଉପରେ ପ୍ରସ୍ତୁତ କରାଯାଇଥିବା ଭିଡିଓ ଭାଇରାଲ୍ ହେବା ପରେ ତାହା କୋରିଆର ଉତ୍ପାଦ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଭାରତୀୟ ଯୁବ କଂଗ୍ରେସ କହିଛି ଯେ ପ୍ରଥମେ ଚୀନ ଓ ପରେ କୋରିଆ। ଗାଲଗୋଟିଆସ୍ ବିଶ୍ବବିଦ୍ୟାଳୟ ନବସୃଜନକୁ ଧାର ସୂତ୍ରରେ ଆଣିବା ପାଇଁ ସାରା ଦୁନିଆ ବୁଲିଥିଲା। ବିଶ୍ବବିଦ୍ୟାଳୟରେ ଡ୍ରୋନ୍ ଫୁଟବଲ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବିଶ୍ବବିଦ୍ୟାଳୟ ଦାବି କରିଥିଲା। ଏହା ଆତ୍ମନିର୍ଭର ନା ଚୋରି କୌଶଳ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି।
ଏହି ଘଟଣାରେ ବିବୃତି ଜାରି କରି ଗାଲଗୋଟିଆସ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏଆଇ ସମ୍ମିଳନୀରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆମ ପାଭିଲିୟନ ପରିଚାଳନା କରୁଥିବା ପ୍ରତିନିଧିଙ୍କ ପାଖରେ ଠିକ୍ ସୂଚନା ନଥିଲା। ସେ ଉତ୍ପାଦ ବିଷୟରେ ଭଲ ଭାବେ ଜାଣିନଥିଲେ। କ୍ୟାମେରା ସମ୍ମୁଖରେ ଉତ୍ସାହିତ ହୋଇ ସେ ଭୁଲ ତଥ୍ୟ ଦେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ତାଙ୍କୁ କୌଣସି ଅନୁମତି ନଥିଲା। ପୂର୍ବରୁ ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସର ନେହା ସିଂହ ରୋବୋଡଗ୍କୁ ବିଶ୍ବବିଦ୍ୟାଳୟର ୩୫୦ କୋଟି ଟଙ୍କାର ଏଆଇ ଅଭିଯାନରୁ ସୃଷ୍ଟି ହୋଇଥିବା ଉତ୍ପାଦ ବୋଲି ଦାବି କରିଥିଲେ। ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଚୀନ୍ର ଏକ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଉକ୍ତ ଉତ୍ପାଦ ଚୀନ୍ର ବୋଲି ଦାବି କରିବା ପରେ ବିଶ୍ବବିଦ୍ୟାଳୟର ଅସଲ ମୁଖା ଖୋଲିଯାଇଥିଲା। ସମଗ୍ର ବିଶ୍ବରୁ ଆସିଥିବା ପ୍ରତିନିଧିଙ୍କ ସମ୍ମୁଖରେ ଏକ ଚୀନ ରୋବଟ୍କୁ ନିଜର ବୋଲି କହି ଉପସ୍ଥାପନ କରିବା ଭାରତର ଛବିକୁ ମଳିନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/19/fshfffhsxbxvbx-2026-02-19-01-57-40.jpg)