ପାଟନା: ନିଜ ଫଟୋ ପରିବର୍ତ୍ତେ ଆଡ୍ମିଟ୍ କାର୍ଡରେ ଗଣେଶ ମହାପ୍ରଭୁଙ୍କ ଫଟୋ ଦେଖି ବିହାରସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କାବା ହୋଇ ଯାଇଛନ୍ତି। ଏ ଭିତରେ ଦଶହରା ପର୍ବ ପାଳନ କରିସାରି ଲୋକେ ଦିପାବଳୀ ପାଇଁ ପ୍ରସ୍ତୁତି କରୁଛନ୍ତି କିନ୍ତୁ, ଏହି ବିହରୀ ବିଶ୍ୱବିଦ୍ୟାଳୟର ଆଡ୍ମିଟ୍ କାର୍ଡ ମୁଦ୍ରକମାନେ ଗଣେଶ ପୂଜାରେ ଅଟକି ରହିଲା ପରି ମନେ ହେଉଛି।
ବି କମ୍ ଅନର୍ସ ପ୍ରଥମ ଭାଗ ପରୀକ୍ଷା ଦେବାକୁ ପ୍ରସ୍ତୁତି ହେଉଥିବା ଜଣେ ଛାତ୍ର ନିଜ ଆଡ୍ମିଟ୍ କାର୍ଡରେ ଗଣନାଥଙ୍କ ଫଟୋ ଦେଖିଥିଲେ।
ଦରଭଙ୍ଗାସ୍ଥିତ ସମ୍ମାନଜନକ ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ବି କମ୍ ଅନର୍ସର ପ୍ରଥମ ବାର୍ଷିକୀ ଛାତ୍ର କୃଷ୍ଣ କୁମାର ରାୟ ଆଡ୍ମିଟ୍ କାର୍ଡ ଆଣିବାକୁ ବିଶ୍ୱବିଦ୍ୟାଳୟକୁ ଯାଇ ସେଥିରେ ପ୍ରଭୁ ଗଣେଶଙ୍କ ଫଟୋ ଦେଖି ସ୍ତବ୍ଧ ହୋଇଯାଇଥିଲେ।
ଅକ୍ଟୋବର ୯ ତାରିଖ ଦିନ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଥିବା ପରୀକ୍ଷା ସକାଶ ବୁଧବାର ଦିନ ବିଶ୍ୱବିଦ୍ୟାଳୟ ଏହି ଆଡ୍ମିଟ୍ କାର୍ଡ ଇସ୍ୟୁ କରିଥିଲେ।
ଆଡ୍ମିଟ୍ କାର୍ଡରେ ଛାତ୍ରଙ୍କ ଫଟୋ ପରିବର୍ତ୍ତେ ଗଣେଶଙ୍କ ଫଟୋ କେବଳ ତାଙ୍କୁ ହତବାକ୍ କରି ନ ଥିଲା, ସେଥିରେ ତାଙ୍କ ସ୍ୱାକ୍ଷର ପରିବର୍ତ୍ତେ ଥିଲା ଗଣେଶ ମହାପ୍ରଭୁଙ୍କ ସ୍ୱାକ୍ଷର।
ଆଡ୍ମିଟ୍ କାର୍ଡରେ କୃଷ୍ଣଙ୍କର ବାସଭବନ ଠିକଣା ମଧ୍ୟ ଭୁଲ୍ ଛାପା ଯାଇଥିଲା। ବିଶ୍ୱବିଦ୍ୟାଳୟ କେମିତି ଏଭଳି ତ୍ରୁଟି କଲେ ତା’ର ଟେର୍ ପାଉ ନ ଥିଲେ କୃଷ୍ଣ କୁମାର।
ସେ ଯାହାହେଉ, ଘଟଣାଟି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷମାନଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି।
କୃଷ୍ଣ କୁମାର କହନ୍ତି: ମୁଁ ମୋ ଫଟୋ ସହ ପରୀକ୍ଷା ଫର୍ମ ଠିକ୍ ରୂପେ ପୂରଣ କରିଥିଲି। କିନ୍ତୁ, ଆଡ୍ମିଟ୍ କାର୍ଡରେ ଗଣେଶଙ୍କ ଫଟୋ ଦେଖି କାବା ହୋଇଗଲି। ଗଣେଶ କ’ଣ ପରୀକ୍ଷା ଦେବେ? ଆଡ୍ମିଟ୍ କାର୍ଡ ସଂଶୋଧନ କରାଇବା ପାଇଁ ମୁଁ ଏଠୁ ସେଠିକି ଧାଁ ଦଉଡ଼ କରୁଛି, କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି।
ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଏ ବାବଦରେ ପଚାରନ୍ତେ, ସେମାନେ ନିଜ ମୁଣ୍ଡର ଦୋଷ ଛଡ଼ାଇବାକୁ ଯାଇ କହିଲେ କି, ଏଥିପାଇଁ ସାଇବର୍ କେଫ୍ ଦାୟୀ। ଛାତ୍ରଛାତ୍ରୀମାନଙ୍କର ଆଡ୍ମିଟ୍ କାର୍ଡ ପ୍ରସ୍ତୁତ କରିବା ନିମନ୍ତେ ସମ୍ପୃକ୍ତ ସାଇବର୍ କେଫ୍କୁ ଆଉଟ୍ସୋର୍ସିଙ୍ଗ୍ ସୂତ୍ରରେ ନିଆଯାଇଥିଲା।
ଆଡ୍ମିଟ୍ କାର୍ଡ ତିଆରି କରିଥିବା ସାଇବର୍ କେଫ୍ର ଭୁଲ୍ ବୋଲି ଏହା ଜଣା ପଡୁଛି। ମୁଦ୍ରିତ ଆଡ୍ମିଟ୍ କାର୍ଡ ସବୁ ଠିକ୍ ଅଛି ବୋଲି ସେମାନେ ତାହା ଦେଖିବାର ଥିଲା। କେମିତି ଭୁଲ୍ ହେଲା ଆମେ ତାହା ଅନୁସନ୍ଧାନ କରୁଛୁ। ଆମେ ଖୁବ୍ ଶୀଘ୍ର ସେ ତ୍ରୁଟି ସୁଧାରି ନେବୁ ଏବଂ ଛାତ୍ରଜଣକ ପରୀକ୍ଷା ଦେବାରେ କୌଣସି ଅଡୁଆରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏ ବର୍ଷ ଆଦ୍ୟ ଭାଗ ଅର୍ଥାତ୍ ଜାନୁଆରି ମାସରେ ବିହାର ବୋର୍ଡ ଜଣେ ଛାତ୍ରୀଙ୍କ ଆଡ୍ମିଟ୍ କାର୍ଡରେ ଉପରିଭାଗ ଉନ୍ମୁକ୍ତ ଥିବା ଜଣେ ଭୋଜପୁରୀ ଚଳଚ୍ଚିତ୍ର ନାୟିକାଙ୍କ ଫଟୋ ଛପାଇ ଦେଇଥିଲା। ସମ୍ପୃକ୍ତ ଛାତ୍ରୀ ବିହାର ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପରୀକ୍ଷା ଦେବାକୁ ଆବେଦନ କରିଥିଲେ।