ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଭୋପାଳ: ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ କାରଣ ଭାରତୀୟ ଆଇନରେ ବୈବାହିକ ଦୁଷ୍କର୍ମକୁ ସ୍ୱୀକୃତି ଦିଆଯାଇନାହିଁ ଏବଂ ଏଭଳି ମାମଲାରେ ତାଙ୍କ ସହମତି ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାଏ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ମହିଳା ତାଙ୍କ ସହ ସ୍ବାମୀ ଏକାଧିକ ଥର ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ କରି ରୁଜୁ କରିଥିବା ଏତଲାକୁ ଅଦାଲତ ରଦ୍ଦ କରିବା ସହ ବୁଧବାର ଏହି ଆଦେଶ ଜାରି କରିଛନ୍ତି। ଜଷ୍ଟିସ୍ ଗୁରପାଲ ସିଂହ ଆହଲୁୱାଲିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍ ହୋଇ ନ ଥିଲେ ଏବଂ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ଦିଆନିଆ ହୋଇ ନ ଥିଲେ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ‘ଆନାଲ ସେକ୍ସ’ କରିବା ଦୁଷ୍କର୍ମ ହେବ ନାହିଁ। ବୈବାହିକ ଦୁଷ୍କର୍ମକୁ ଏପର୍ଯ୍ୟନ୍ତ ସ୍ୱୀକୃତି ମିଳିନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ଜଷ୍ଟିସ୍ ଜିଏସ୍ ଅହଲୁୱାଲିଆ ଆହୁରି କହିଛନ୍ତି ଯେ ଯେହେତୁ ଆଇପିସିର ଧାରା ୩୭୭ ଅନୁଯାୟୀ ଜଣେ ସ୍ୱାମୀ ତାଙ୍କ ସହ ରହୁଥିବା ତାଙ୍କ ଆଇନଗତ ବିବାହିତ ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅପରାଧ ନୁହେଁ, ତେଣୁ ଅଯଥା ଅଭିଯୋଗ ଆଧାରରେ ଏଫ୍‌ଆଇଆର ରୁଜୁ ହୋଇଛି କି ନାହିଁ ସେ ବିଷୟରେ ଅଧିକ ତର୍ଜମା କରିବାର ଆବଶ୍ୟକତା ନାହିଁ। ତେବେ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏକମାତ୍ର ବ୍ୟତିକ୍ରମ ହେଉଛି ଆଇପିସିର ଧାରା ୩୭୬ବି, ଯେଉଁଥିରେ ନ୍ୟାୟିକ ବିଚ୍ଛିନ୍ନତା (ବିବାହ ବିଚ୍ଛେଦ) କିମ୍ବା ଅନ୍ୟ କୌଣସି କାରଣରୁ ସେମାନେ ଅଲଗା ରହୁଥିବା ସମୟରେ ଯଦି ପତ୍ନୀଙ୍କ ସହ ତାଙ୍କ ଇଚ୍ଛା ବିରୋଧରେ ଯୌନକ୍ରିୟା ହୁଏ ତେବେ ତାହା ଦୁଷ୍କର୍ମ ହେବ। ଏହି ମାମଲା ୨୦୧୯ ମସିହାର, ଯେଉଁଥିରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ଦାଏର କରିଥିଲେ, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ବିବାହ ପରେ ଯେତେବେଳେ ସେ ଦ୍ୱିତୀୟ ଥର ପାଇଁ ତାଙ୍କ ଶାଶୂ ଘରକୁ ଫେରିଥିଲେ, ସେ ତାଙ୍କ ସହ ଅନେକ ଥର ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଏହାପରେ ସ୍ୱାମୀ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଫ୍‌ଆଇଆରକୁ ଚ୍ୟାଲେଞ୍ଜ କରି ଏହାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର