ଆସିଲା ଅନଲକ୍‌-୪ ନିର୍ଦ୍ଦେଶାବଳି : ସେପ୍ଟେମ୍ବରରେ ଖୋଲିବନି ସ୍କୁଲ, କଲେଜ

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ୍‌ ଆସିବା ଇଚ୍ଛାଧୀନ
୭ରୁ ଚାଲିବ ମେଟ୍ରୋ
୨୧ରୁ ୧୦୦ ଲୋକରେ ସଭାସମିତି
୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ
କେନ୍ଦ୍ରର ବିନା ଅନୁମତିରେ ରାଜ୍ୟ କରିପାରିବେନି ଲକ୍‌ଡାଉନ୍‌
ସୁଇମିଂ ପୁଲ୍‌, ଆମୋଦପ୍ରମୋଦ ଉଦ୍ୟାନ, ଥିଏଟର ବନ୍ଦ ରହିବ
ଅବରୋଧ ଅଞ୍ଚଳରେ କଟକଣା ପୂର୍ବବତ୍ ଜାରି ରହିବ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଲକଡାଉନ୍ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଜୁନ୍ ମାସରୁ ପର୍ଯ୍ୟାୟକ୍ରମେ ଦେଶକୁ ଅନଲକ୍ କରାଯାଉଛି। ଏହିକ୍ରମରେ ଆଜି ସରକାର ଆସନ୍ତା ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ଅନଲକ୍‌-୪ର ନିର୍ଦ୍ଦେଶାବଳି ଘୋଷଣା କରିଛନ୍ତି। ଏଥିରେ ଅନେକ ବିଷୟକୁ କୋହଳ କରାଯାଇଥିବାବେଳେ ଅନ୍ୟଗୁଡ଼ିକୁ ପୂର୍ବବତ୍ କଟକଣା ଭିତରେ ରଖାଯାଇଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ ରାଜ୍ୟ ମଧ୍ୟରେ ଯାତାୟାତ ପାଇଁ କୌଣସି କଟକଣା ରହିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରି ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଲକଡାଉନ୍ ରାଜ୍ୟ, ଜିଲ୍ଲା, ଉପଖଣ୍ଡ, ସହର ବା ଗ୍ରାମାଞ୍ଚଳ ସ୍ତରରେ ‌ଲାଗୁ କରି‌ପାରିବେ ନାହିଁ।

ଦେଶରେ ଆସନ୍ତାମାସ ୭ ତାରିଖରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳ ସେବାକୁ ଅନୁମତି ଦିଆଯିବ। ସେହିଭଳି ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚକୁ ଅନୁମତି ଦିଆଯାଇଛି। ସେହିଭଳି ସେପ୍ଟେମ୍ବର ୨୧ରୁ ସାମାଜିକ,ଶିକ୍ଷା,କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଆଦିକୁ ଅନୁମତି ଦିଆଯିବ। ତେବେ ୧୦୦ ପର୍ଯ୍ୟନ୍ତ ଲୋକଙ୍କୁ ନେଇ ଏସବୁ ସମାବେଶ ହେବ। ତେବେ ସମାବେଶରେ ଯୋଗ‌ଦେଉଥିବା ବ୍ୟକ୍ତିମାନେ ‌‌ଫେସ୍‌ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ଆଦିକୁ ପାଳନ କରିବେ। ସେହିଭଳି ସମାବେଶସ୍ଥଳରେ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ୱାସ ଓ ସାନିଟାଇଜର ଆଦିର ବ୍ୟବସ୍ଥା ରହିବ।

Livemint

ଅନ୍ୟପକ୍ଷରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, କୋଚିଂ ପ୍ରତିଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ନିର୍ଦ୍ଦେଶାବଳିରେ କୁହାଯାଇଛି ଯେ ଅବରୋଧ ଅଞ୍ଚଳ ବାହାରେ ଥିବା ବିଦ୍ୟାଳୟଗୁଡ଼ିକୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଇଚ୍ଛାଧୀନ ଭାବେ ଯିବାଲାଗି ଅନୁମତି ମିଳିବ। ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପରାମର୍ଶ ନେବାଲାଗି ଏହି ଅନୁମତି ଦିଆଯିବ। କିନ୍ତୁ ଏଥିପାଇଁ ଛାତ୍ରଛାତ୍ରୀଙ୍କ ପିତାମାତା/ଅଭିଭାବକମାନେ ଲିଖିତଭାବେ ସେମାନଙ୍କ ସମ୍ମତି ଦେବେ। ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଲାବୋରେଟୋରି କିମ୍ବା ପରୀକ୍ଷାନିରୀକ୍ଷା କାର୍ଯ୍ୟ ପାଇଁ ପିଏଚଡି ଓ ପିଜି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଗୃହ ମନ୍ତ୍ରାଳୟର ପରାମର୍ଶକ୍ରମେ ଅନୁମତି ଦେଇପାରିବ।

ଅବରୋଧ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ୍‌)ରେ ଲକଡାଉନ୍ ନିୟମ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବବତ କଡ଼ାକଡ଼ି ପାଳନ ହେବ। ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ମାଲ ଓ ଯାତ୍ରୀ ପରିବହନ ନେଇ କୌଣସି କଟକଣା ରହିବ ନାହିଁ। ଏହି ଯାତାୟାତ ଓ ପରିବହନ ପାଇଁ କୌଣସି ପ୍ରକାର ପୃଥକ ଅନୁମତି, ମଞ୍ଜୁରି ଓ ଇ-ପରମିଟ୍ ଆଦିର ଆବଶ୍ୟକତା ନାହିଁ। ସିନେମା ହଲ୍, ସୁଇମିଂ ପୁଲ, ଆମୋଦପ୍ରମୋଦ ପାର୍କ, ରଙ୍ଗମଞ୍ଚ(ମୁକ୍ତାକାଶ ‌ରଙ୍ଗମଞ୍ଚ ବ୍ୟତୀତ) ଓ ଏଭଳି ସ୍ଥାନ ଖୋଲିବା, ଅନ୍ତର୍ଜାତୀୟ ବିମାନ ଯାତ୍ରା ଆଦି ବ୍ୟତୀତ ଅନ୍ୟସବୁ କାର୍ଯ୍ୟକୁ ଅବରୋଧ ମୁକ୍ତ ଅଞ୍ଚଳ ବାହାରେ ଅନୁମତି ପ୍ରଦାନ କରାଯାଇଛି। ଅନଲକ୍-୪ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର