ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଜାରି ରହିଥିବା ବେଳେ ଅକ୍ଟୋବର ମାସ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଅନେକ କ୍ଷେତ୍ରରେ ପୂର୍ବରୁ ଜାରି ହୋଇଥିବା କଟକଣାକୁ କୋହଳ କରାଯାଉଥିବାରୁ ଏହାକୁ ‘ଅନଲକ୍ ୫.୦’ ଭାବେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଭିନ୍ନ କ୍ଷେତ୍ରରେ ଆସନ୍ତା ଏକ ମାସ ଲାଗି ବଳବତ୍ତର ରହିବାକୁ ଥିବା କଟକଣା ଏବଂ କୋହଳ ନେଇ ସୂଚନା ପ୍ରଦାନ କରିଛନ୍ତି। ଦେଶରେ ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟଧାରାକୁ ପୁଣି ସ୍ବାଭାବିକ କରିବା ଦିଗରେ ପର୍ଯ୍ୟାୟକ୍ରମେ କଟକଣାରେ କୋହଳ ଅଣାଯାଉଛି।
ଆଜି ଏହି କ୍ରମରେ କେନ୍ଦ୍ର ସରକାର ଜାରି କରିଥିବା ଅନ୍ଲକ୍ ୫.୦ ଗାଇଡଲାଇନରେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଥିବା ସିନେମା ହଲ୍, ଥିଏଟର୍ ଏବଂ ମଲ୍ଟିପ୍ଲେକ୍ସ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ଠାରୁ ଖୋଲିବାକୁ ଥିବା ଏହି ମନୋରଞ୍ଜନ କେନ୍ଦ୍ର ସବୁ ସେମାନଙ୍କ ସିଟ୍ ସଂଖ୍ୟାର ୫୦% ଦର୍ଶକଙ୍କୁ ବସିବାକୁ ଅନୁମତି ଦେବେ। ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ‘ଏସ୍ଓପି’ ଜାରି କରିବ।
ସିନେମା ହଲ୍ ବ୍ୟତୀତ, କେନ୍ଦ୍ର ସରକାର ଖେଳାଳିମାନଙ୍କ ତାଲିମ୍ ନିମନ୍ତେ ବ୍ୟବହାର ହେଉଥିବା ସୁଇମିଙ୍ଗ୍ ପୁଲ୍ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ ପର ଠାରୁ ‘ବିଜ୍ନେସ୍ ଟୁ ବିଜ୍ନେସ୍’ ପ୍ରଦର୍ଶନୀ ପାଇଁ ମଧ୍ୟ ଅନୁମତି ମିଳିବ। ଏଥିନିମନ୍ତେ ବାଣିଜ୍ୟ ବିଭାଗ ‘ଏସ୍ଓପି’ ଜାରି କରିବ।
ସର୍ବସାଧାରଣଙ୍କ ନିମନ୍ତେ ଅକ୍ଟୋବର ୧୫ରୁ ପ୍ରମୋଦ ଉଦ୍ୟାନ ଏବଂ ସେହିଭଳି ସ୍ଥାନ ସବୁ ଖୋଲିବାକୁ ମଧ୍ୟ ଗୃହ ମନ୍ତ୍ରାଳୟ ଜାରି କରିଥିବା ଅନ୍ଲକ୍ ୫.୦ ଗାଇଡ୍ଲାଇନ୍ରେ ଅନୁମତି ପ୍ରଦାନ କରାଯାଇଛି।