ଅନ୍‌ଲକ୍ ୫.୦: କଟକଣାମୁକ୍ତ ହୋଇପାରେ ଆର୍ଥିକ କାର୍ଯ୍ୟକଳାପ, ସିନେମା ହଲ୍ ଏବଂ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଶେଷ ହେବ ଦେଶପ୍ୟାପୀ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍। ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଅନ୍‌ଲକ୍ ୪.୦ରେ ମାର୍ଚ ମାସରୁ ବନ୍ଦ ଥିବା ମେଟ୍ରୋ ସେବାର ପୁନରାରମ୍ଭ ଏବଂ ନବମ ରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଆଶିଂକ ସ୍କୁଲ ଖୋଲାଯିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ।

ଏବେ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଥିବା ପଞ୍ଚମ ପର୍ଯ୍ୟାୟ ଅନ୍‌ଲକ୍‌ରେ କେନ୍ଦ୍ର ସରକାର କିଛି ଅଧିକ କଟକଣା ଉଠାଇବେ ବୋଲି କଳ୍ପନାଜଳ୍ପନା ଚାଲିଛି। ଗତ ସପ୍ତାହରେ ସାତଟି ସବୁଠୁ ଖରାପ କରୋନାଭାଇରସ୍ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚ୍ୟୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମାଇକ୍ରୋ-କଣ୍ଟେନ୍‌ମେଣ୍ଟ୍‌ ଜୋନ୍’ ଜାରି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏଥିସହ ପାର୍ବଣ ସମୟ ଆସିଯାଇଥିବାରୁ କେନ୍ଦ୍ର ସରକାର ଅନ୍‌ଲକ୍‌ ୫.୦ରେ ଅଧିକ କ୍ଷେତ୍ରରେ କାର୍ଯ୍ୟକଳାପ ଉନ୍ମୁକ୍ତ କରିବେ ବୋଲି ଆଶା କରାଯାଉଛି।

ସାମାଜିକ ଦୂରତ୍ବ ବଜାୟ ରଖି ମଲ୍, ସେଲୁନ୍, ରେସ୍ତୋରାଁ ଏବଂ ଜିମ୍ ଭଳି ସର୍ବସାଧାରଣ ସ୍ଥାନକୁ ଯିବାକୁ ଗୃହ ମନ୍ତ୍ରାଳୟ ଜନସାଧାରଣଙ୍କୁ ଅନୁମତି ଦେଇ ସାରିଥିବାରୁ ଅକ୍ଟୋବର ମାସରେ ଆହୁରି ଅନେକ ଆର୍ଥିକ କାର୍ଯ୍ୟକଳାପ କ୍ଷେତ୍ର ଉପରୁ କଟକଣା ହଟାଇ ପାରନ୍ତି।

Image Courtesy of Zee News

ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ କଣ୍ଟେନ୍‌ମେଣ୍ଟ୍‌ ଓ ଲକ୍‌ଡାଉନ୍ ପୁଣିଥରେ ଲାଗୁ କରିବା ଉପରେ ଗୁରତ୍ବ‌ ଦେଇଥିଲେ। କିନ୍ତୁ ଆହୁରି ମଧ୍ୟ କହିଥିଲେ କି, ଏଥିଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ଉପରେ ବାଧା ନ ଉପୁଜିବା ଉଚିତ।

ମଲ୍‌ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍ ଇଣ୍ଡିଆର ଅନୁରୋଧ ସତ୍ତ୍ବେ ସେପ୍ଟେମ୍ବର ୨୧ ପରେ କେବଳ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଗୃହବ୍ୟାପାର ମନ୍ତ୍ରାଳୟ ଅନୁମତି ଦେଇଥିଲା।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଦେଶର ପ୍ରଥମ ରାଜ୍ୟ ଭାବେ ଅକ୍ଟୋବର ୧ ତାରିଖ ରୁ ଥିଏଟର୍ ଓ ସିନେମା ହଲ୍‌ ଖୋଲିବାକୁ ପଶ୍ଚିମବଙ୍ଗ ଅନୁମତି ଦେଇଛି।

କିନ୍ତୁ, ଅଗଷ୍ଟ ମାସରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସଚିବ ଅମିତ ଖାରେ ସିନେମା ହଲ୍‌ ନିମନ୍ତେ ସିଟ୍‌ ଆରେଞ୍ଜ୍‌ମେଣ୍ଟ୍‌ ଉପରେ ଏକ ଫର୍ମୁଲା ଗୃହମନ୍ତ୍ରାଳୟକୁ ଦେଇଥିଲେ। କିନ୍ତୁ, ସେଥିରେ ଆର୍ଥିକ କ୍ଷତି ଆଶଙ୍କା କରି ସିନେମା ହଲ୍‌ ସବୁ ତାହା ଗ୍ରହଣ କରି ନ ଥିଲେ।

ସେହିପରି, ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାର ନିକଟରେ କିଛି କଟକଣା କୋହଳ କରିଛନ୍ତି। ତାଜମହଲ ସମେତ କେତେକ ପର୍ଯ୍ୟଟନସ୍ଥଳୀ ଖୋଲିଛି। ଅନ୍‌ଲକ୍‌ ୫.୦ରେ ଅଧିକ ପର୍ଯ୍ୟଟନ ସ୍ଥଳୀ ଖୋଲିବ ବୋଲି ଆଶା କରାଯାଉଛି।

ଶିକ୍ଷା କ୍ଷେତ୍ରରେ କିନ୍ତୁ, ସରକାର ସାମାନ୍ୟ କଟକଣା କୋହଳ କରିଛନ୍ତି। ସେପ୍ଟେମ୍ବର ୨୧ ପରଠାରୁ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଂଶିକ ସ୍କୁଲ୍ ଖୋଲିବା ଇଚ୍ଛାଧୀନ ରଖାଯାଇଛି। ଆସନ୍ତା ମାସରେ ମଧ୍ୟ ଏହା ସେହିଭଳି ଚାଲୁ ରହିପାରେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ପ୍ରାଥମିକ ଶ୍ରେଣୀ ସବୁ ଆହୁରି କିଛି ସପ୍ତାହ ବନ୍ଦ ରହିବ।

ସମ୍ବନ୍ଧିତ ଖବର