ସିନେମା ହଲ୍ ପାଇଁ ଏସଓପି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏଥିଲାଗି ଏସଓପି ଘୋଷଣା କରାଯାଇଛି । ଦେଶର ସବୁ ସିନେମା ହଲ୍, ଥିଏଟର ଓ ମଲଟିପ୍ଲେକ୍ସରେ ଏସବୁ ଏସଓପି ପାଳନ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ।
ଆସନ୍ତା ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ ବୋଲି ଗତ ୩୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରାଳୟ ଘୋଷଣା କରିଥିଲା । ଏଥିଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏସଓପି ଜାରି କରିବ ବୋଲି ସେତେବେଳେ କୁହାଯାଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି :
୧. ସବୁ ସିନେମା ହଲ୍ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ ।
୨. ପ୍ରତି ସିଟର ପାଖ ଦୁଇଟି ସିଟ୍ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ ।
୩. ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।
୪. ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର୍ ବ୍ୟବସ୍ଥା ରହିବ ।
୫. ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ।
୬. ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ ।
୭.ହଲ୍ ଭିତରକୁ ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ।

୮. ହଲ ଭିତରେ କେବଳ ପ୍ୟାକେଟ ଖାଦ୍ୟ ମିଳିପାରିବ ।

ସମ୍ବନ୍ଧିତ ଖବର