ଉନ୍ନାଓ ମାମଲା: ସିବିଆଇ ତଦନ୍ତ ଆରମ୍ଭ : ୩୧ ଜଣଙ୍କ ବିରୋଧରେ ମାମଲା ରୁଜୁ

ବିଧାୟକଙ୍କୁ ଜେଲ୍‌ରେ ଭେଟିଥିବା ଲୋକଙ୍କ ତାଲିକା ଯାଞ୍ଚ ହେବ, ପୀଡ଼ିତାଙ୍କ ଚିଠି ଉପରେ ଶୁଣାଣି ଆଜି

ଲକ୍ଷ୍ନୌ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସବିଆଇ ଆଜିଠାରୁ ତଦନ୍ତ ଆରମ୍ଭ କରିଛି। ଗଣଦୁଷ୍କର୍ମ ଏବଂ ନିକଟରେ ପୀଡ଼ିତାଙ୍କ ସହିତ ଘଟିଥିବା ଦୁର୍ଘଟଣା ମାମଲାରେ ସିବିଆଇ ଜେଲ୍‌ରେ ବନ୍ଦୀ ଥିବା ବିଧାୟକ କୁଲଦୀପ ସିଂହ ସେଙ୍ଗର ଏବଂ ତାଙ୍କର ୩୦ ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉତ୍ତରପ୍ରଦେଶର ସୀତାପୁର ଜେଲ୍‌ରେ ଥିବା ବିଧାୟକ ସେଙ୍ଗରଙ୍କୁ ବିଗତ କିଛି ମାସ ମଧ୍ୟରେ ଯେଉଁମାନେ ସାକ୍ଷାତ କରିଛନ୍ତି ସିବିଆଇ ସେମାନଙ୍କ ତାଲିକା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମାଗିଛନ୍ତି। ଏହି ତାଲିକାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ଏବଂ ସେମାନଙ୍କ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ ସମେତ ଅନ୍ୟ କେତେକ ଦିଗରୁ ତଦନ୍ତ ତ୍ବରାନ୍ବିତ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ସିବିଆଇର ତଦନ୍ତ ପରିସରକୁ ଏବେ ଆଉ ଜଣେ ବିଜେପି ନେତା ଆସିଛନ୍ତି। ସେ ହେଉଛନ୍ତି ଉନ୍ନାଓ ବ୍ଲକ୍‌ ସଭାପତି ଅରୁଣ ସିଂହ। ଅରୁଣ ସେଙ୍ଗରଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।

ସିବିଆଇକୁ ଏହି ମାମଲାର ତଦନ୍ତ ଭାର ମଂଗଳବାର ଦିଆଯାଇଥିଲା। ଗତ ରବିବାର ଦିନ ଉନ୍ନାଓ ପୀଡ଼ିତା ତାଙ୍କ ସଂପର୍କୀୟ ଏବଂ ଓକିଲଙ୍କ ସହ ରାୟବରେଲି ଯାଉଥିବା ବେଳେ ରାସ୍ତାରେ ସେମାନଙ୍କ କାର୍‌ ଏକ ଟ୍ରକ୍‌ ଧକ୍କାରେ ଚୁର୍‌ମାର ହୋଇଯାଇଥିଲା। ଏଥିରେ ପୀଡ଼ିତାଙ୍କ ଦୁଇ ଜଣ ସଂପର୍କୀୟାଙ୍କ ମୃତ୍ୟୁ ଘଟିଥିଲା ଏବଂ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ପୀଡ଼ିତା ୨୦୧୭ରେ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୀଡ଼ିତା ସଡ଼କ ଦୁର୍ଘଟଣାରେ ଆହତ ହେବାପରେ ଏହାକୁ ନେଇ ରାଜନୈତିକ ହଙ୍ଗାମା ମଧ୍ୟ ଜାରି ରହିଛି। ଜେଲ୍‌ରେ ଥିବା ବିଧାୟକ ପୀଡ଼ିତା ଓ ତାଙ୍କ ପରିବାରକୁ ଶେଷ କରିଦେବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିବାରୁ ଏହି ମାମଲାକୁ ରାଜ୍ୟ ସରକାର ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି। ଗତକାଲି ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବା ସହ ଜଣେ ବି ଦୋଷୀ ନିସ୍ତାର ପାଇବେ ନାହିଁ ବୋଲି କହିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର, ହେଲ୍‌ପର ଏବଂ ମାଲିକଙ୍କୁ ସିବିଆଇ ଖୁବ୍‌ଶୀଘ୍ର ଜେରା କରିବ ବୋଲି ଜଣାପଡ଼ିଛି।

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୟୁପି ସରକାରଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି ଯେ ଅଭିଯୁକ୍ତ ବିଧାୟକଙ୍କୁ ଦଳ ପୂର୍ବରୁ ହିଁ ନିଲମ୍ବିତ କରିସାରିଛି। କୁଲଦୀପ ସେଙ୍ଗର ଅପରାଧ ମାମଲାରେ ସଂପୃକ୍ତ ହେବାପରେ ଦଳ ତାଙ୍କୁ ଆରମ୍ଭରୁ ହିଁ ତିଳେମାତ୍ର ସୁରକ୍ଷା ଦେଇନାହିଁ ଏବଂ ଆଇନ ତା’ ରାସ୍ତାରେ କାମ କରୁଛି ବୋଲି ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ର ଦେବ କହିଛନ୍ତି।

ପୀଡ଼ିତାଙ୍କ ଚିଠି ଉପରେ ଶୁଣାଣି ଆଜି

ନୂଆଦିଲ୍ଲୀ : ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଦୁର୍ଘଟଣାର ଶିକାର ହେବାର କିଛି ଦିନ ପୂର୍ବରୁ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ତାଙ୍କୁ ବାରମ୍ବାର ଧମକ ଦିଆଯାଉଛି ଏବଂ ତାଙ୍କ ଜୀବନ ପ୍ରତି ବିପଦ ଅଛି ‌ବୋଲି ସେ ଚିଠି ମାଧ୍ୟମରେ ଦର୍ଶାଇଥିଲେ। କିନ୍ତୁ ଏହି ଚିଠି ସମ୍ପର୍କରେ ପ୍ରଧାନ ବିଚାରପତି ଗୋଗଇ ଗତକାଲି ହିଁ ଜାଣିବାକୁ ପାଇଥିଲେ। ତାଙ୍କୁ ପୂର୍ବରୁ କାହିଁକି ଏହି ଚିଠି ସମ୍ପର୍କରେ ଅବଗତ କରାଯାଇ ନଥିଲା ବୋଲି ସେ କୋର୍ଟ ରେଜିଷ୍ଟ୍ରିଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଏହି ମାମଲାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଚିଠି ସଂପର୍କିତ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ତାଙ୍କୁ କାହିଁକି ଚିଠି ବାବଦରେ କିଛି ଜଣାଗଲାନି ବୋଲି ସେ ରି‌ପୋର୍ଟ ମାଗିଛନ୍ତି। ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବା ସୁପ୍ରିମ‌କୋର୍ଟ ନିଜ ଆଡ଼ୁ ଏହି ମାମଲାର ଆସନ୍ତାକାଲି ଶୁଣାଣି କରିବେ। ସୁପ୍ରିମକୋର୍ଟ ଏଦିଗରେ ଗଠନମୂଳକ କାର୍ଯ୍ୟପନ୍ଥ‌ା ଗ୍ରହଣ କରିବେ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ସୁରକ୍ଷା ପାଇଁ ଆସନ୍ତାକାଲି ନ୍ୟାୟିକ ନିର୍ଦ୍ଦେଶ ଦିଆ‌ଯିବ ବୋଲି ପ୍ରଧାନ ବିଚାରପତି ପ୍ରତିଶ୍ରୁତି ଦେଇଛନ୍ତି। କୋର୍ଟ ମଧ୍ୟ ଏହି ମାମଲାରେ ଉତ୍ତରପ୍ରଦେଶ କର୍ତ୍ତୃପକ୍ଷଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୨ ତାରିଖରେ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ଏହି ଚିଠି ଲେଖାଯାଇଥିଲା। ଚିଠିରେ ପୀଡ଼ିତା, ତାଙ୍କ ମା’ ଏବଂ ମାଉସୀଙ୍କ ଦସ୍ତଖତ ଥିଲା। ଚିଠିରେ ଦର୍ଶାଯାଇଥିଲା ଯେ ଅଭିଯୁକ୍ତ ବିଧାୟକଙ୍କ ସହଯୋଗୀମାନେ ତାଙ୍କ ଘରକୁ ଆସି ଧମକ ଦେଇଥିଲେ। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଏହି ଚିଠି‌ରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର