ଉନ୍ନାଓ ଗଣଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କ ପତ୍ନୀଙ୍କୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ୧ କୋଟି ହଡ଼ପ କରିବାକୁ ଯାଉଥିବା ବେଳେ ଗିରଫ ହେଲେ ୨ ଶିକ୍ଷିତ ବେକାର

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ସହଜ ମାର୍ଗରେ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଦୁଇ ଶିକ୍ଷିତ ବେକାର ଯୁବକ, ନିଜକୁ ବରିଷ୍ଠ ସିବିଆଇ ଅଧିକାରୀ ବୋଲି ମିଥ୍ୟା ପରିଚୟ ଦେଇ ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କ ପତ୍ନୀ ସଂଗୀତାଙ୍କ ଠାରୁ ୧ କୋଟି ଟଙ୍କା ହଡ଼ପ୍‌ କରିବାକୁ ଯାଇ ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଦେଶ ବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ଉନ୍ନାଓର ବିଜେପି ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗର ଏକ ଗଣଦୁଷ୍କର୍ମ ଅପରାଧରେ ସଂପୃକ୍ତ ଥାଇ ଏବେ ସୀତାପୁର ଜେଲରେ ଅଛନ୍ତି। ବିଧାୟକ ସଂପୃକ୍ତ ଥିବା ଏହି ହାଇ ପ୍ରୋଫାଇଲ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉପରେ ନ୍ୟସ୍ତ କରିଛନ୍ତି। ତେବେ, ଏହାକୁ ଆୟୁଧ କରି ଉତ୍ତରପ୍ରଦେଶର ଦୁଇ ଶିକ୍ଷିତ ବେକାର ଯୁବକ ଆଲୋକ ଦ୍ୱିବେଦୀ ଓ ବିଜୟ ରାଓ୍ଵତ ସହଜ ମାର୍ଗରେ ବିପୁଳ ଅର୍ଥ ଉପାର୍ଜନ କରିବା ପାଇଁ ଏକ ସୁଚନ୍ତିତ ଯୋଜନା ପ୍ରସ୍ତୁତ କଲେ। ଏବଂ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ ସେଙ୍ଗରଙ୍କ ପତ୍ନୀ ସଂଗୀତାଙ୍କ ଫୋନ୍‌ ନମ୍ବର ଯୋଗାଡ଼ କଲେ। ସଂଗୀତା ଜିଲ୍ଲା ପଞ୍ଚାୟତର ଜଣେ ସଭ୍ୟା ଥିବା ଦୃଷ୍ଟିରୁ ଏମାନଙ୍କୁ ସହଜରେ ତାଙ୍କର ଫୋନ୍‌ ନମ୍ବର ମିଳି ଯାଇଥିଲା। ପରେ, ଏମାନେ ସଂଗୀତାଙ୍କୁ ଫୋନ୍‌ କରି ନିଜକୁ ବରିଷ୍ଠ ସିବିଆଇ ଅଧିକାରୀ ଭାବେ ପରିଚୟ ଦେବା ସହ କହିଥିଲେ ଯେ ଆମେ ଆପଣଙ୍କ ସ୍ୱାମୀଙ୍କ ବିରୋଧରେ ଆଗତ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରୁଛୁ। ସବୁ କିଛି ଆମ ତଦନ୍ତ ରିପୋର୍ଟ ଉପରେ ନିର୍ଭର କରୁଛି। ଯଦି ଆମେ ଚାହିଁବୁ ତେବେ ଆଜୀବନ କରାଦଣ୍ଡ କ’ଣ ଫାଶୀ ଖୁଣ୍ଟରେ ବି ଝୁଲାଇ ଦେବୁ! ଆଉ ଯଦି ଚାହିଁବୁ ତେବେ ସସମ୍ମାନର ସହ ନିର୍ଦ୍ଦୋଷରେ ବି ଖଲାସ କରିଦେବୁ। ଏମିତି ସବୁ କହି ସଂଗୀତାଙ୍କ ମନରେ ସେମାନଙ୍କ ପ୍ରତି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ ସେଇ ଦୁଇ ଯୁବକ। ପରେ, ଯେତେବେଳେ ସଂଗୀତାଙ୍କ କଣ୍ଠରୁ ଠଉରାଇଲେ ଯେ ସେ ସେମାନଙ୍କ ଆଡ଼କୁ ଢ଼ଳୁଛନ୍ତି; ସେତେବେଳେ ସେମାନେ ସଂଗୀତାଙ୍କୁ କହିଥିଲେ, ସବୁ ଚିନ୍ତା ଛାଡ଼ି ଆମକୁ ୧ କୋଟି ଦିଅ ଆମେ ତୁମ ସ୍ୱାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେବୁ!

ତେବେ, ଏମାନଙ୍କ କଥାରେ ସନ୍ଦେହ ହେବାରୁ ସଂଗୀତା ଯାଇ ଘଟଣା ସଂପର୍କରେ ଗାଜିପୁର ଥାନାରେ ଅଭିଯୋଗ କରିଥିଲେ। ପରେ, ଗାଜିପୁର ଥାନା ଏସ୍‌ଏଚ୍‌ଓ ସୁଜିତ୍‌ କୁମାର ରାୟ ସଂଗୀତାଙ୍କ ଫୋନ୍‌କୁ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ସେଇ ନମ୍ବରକୁ ଟ୍ରାକ୍‌ କରି ଆଲୋକ ଦ୍ୱିବେଦୀକୁ ଗୋସେଇଗଞ୍ଜରୁ ଓ ବିଜୟ ରାଓ୍ଵତକୁ ଦେଓରା ଅଞ୍ଚଳରୁ ଗିରଫ କରିଥିଲେ।
ପୁଲିସ୍‌ ହାତରେ ଗିରଫ ହେବା ପରେ ଉଭୟ ଅଭିଯୁକ୍ତ ଆଲୋକ ଓ ବିଜୟ ପୁଲିସ୍‌ ଆଗରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ଆଲୋକ ପୁଲିସ୍‌କୁ କହିଛନ୍ତି ଯେ ସେ ଅଓ୍ଵଧ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରିଛନ୍ତି ଏବଂ ଜଣେ ମେଧାବୀ ଛାତ୍ର ମଧ୍ୟ। କିନ୍ତୁ, ବହୁ ଚେଷ୍ଟା ପରେ ଚାକିରି ଖଣ୍ଡେ ନପାଇ ସେ ଏବେ ଘରେ ବେକାର ହୋଇ ବସିଛନ୍ତି। ଏପରିସ୍ଥିତରେ ସେ ଭାବିଲେ ଯେ ସେଙ୍ଗରଙ୍କ ପରିବାର ପାଖରେ ବିପୁଳ ଅର୍ଥ ଥିବ। ତେଣୁ, ପରିସ୍ଥିତିର ଫାଇଦା ନେଇ ସେମାନେ ସେଙ୍ଗରଙ୍କ ପତ୍ନୀ ସଂଗୀତାଙ୍କ ଠାରୁ ୧ କୋଟି ହଡ଼ପ କରିବାକୁ ଏହିପରି କରିଥିଲେ।

ସମ୍ବନ୍ଧିତ ଖବର