ନୂଆଦିଲ୍ଲୀ ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେଙ୍ଗର ଆଜି ଦୋଷୀସାବ୍ୟସ୍ତ ହୋଇଛନ୍ତି। ଦୀର୍ଘ ୧୭ ବର୍ଷ ଧରି ବିଧାୟକ ରହିଥିବା ସେଙ୍ଗର ପୀଡ଼ିତାଙ୍କ ସ୍ବରକୁ ଚାପି ଦେବା ଏବଂ ତାଙ୍କ ପରିବାରକୁ ନିଶ୍ଚିହ୍ନ କରିଦେବା ପାଇଁ ସମସ୍ତ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ସତ୍ତ୍ବେ ନ୍ୟାୟ ପାଇଁ ଲଢ଼େଇରେ ପୀଡ଼ିତା ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ ଏବଂ ଆଜି ତାଙ୍କର ବିଜୟ ହୋଇଛି। ସେଙ୍ଗର ତାଙ୍କର ଗୁଣ୍ଡା ବାହିନୀ ଓ କ୍ଷମତାକୁ ବ୍ୟବହାର କରି ପୀଡ଼ିତା ଓ ତାଙ୍କ ପରିବାର ଉପରେ ନାହିଁ ନଥିବା ଜୁଲମ କରିଥିଲେ। ପିତାଙ୍କ ହାଜତ ମୃତ୍ୟୁ ଘଟିବା ସତ୍ତ୍ବେ ପୀଡ଼ିତା ଦବି ନଯାଇ ନ୍ୟାୟ ପାଇଁ ଆଗକୁ ବଢ଼ିଥିଲେ। ତାଙ୍କୁ ନିଶ୍ଚିହ୍ନ କରିଦେବା ପାଇଁ ତାଙ୍କ କାର୍ ଉପରେ ଟ୍ରକ୍ ଚଢ଼ାଇ ଦିଆଯାଇଥିଲା। ଏଥିରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ଏହା ସତ୍ତ୍ବେ ବି ପୀଡ଼ିତାଙ୍କ ନ୍ୟାୟ ପାଇଁ ସଂଘର୍ଷରେ ଆଗକୁ ବଢ଼ିଥିଲେ।
ଜୁନ୍ ୪, ୨୦୧୭: ୧୭ ବର୍ଷୀୟା ଉନ୍ନାଓ ନାବାଳିକା ଉତ୍ତରପ୍ରଦେଶର ମାନ୍ଖୀ ସ୍ଥିତ ତାଙ୍ଗ ଗ୍ରାମରୁ ନିଖୋଜ ହୋଇଯାଇଥିଲେ। ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଅତୁଲ ସିଂହ ଏବଂ ଅନ୍ୟ ସହଯୋଗୀଙ୍କ ଦ୍ବାରା ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।
ଜୁନ୍ ୨୧, ୨୦୧୭: ଅରେରିୟାରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଠାବ କରାଗଲା ଏବଂ ଆଇପିସିର ଧାରା ୩୬୩ ଏବଂ ୩୬୬ ଅଧୀନରେ ମାମଲା ରୁଜୁ ହେଲା।
ଏପ୍ରିଲ ୩, ୨୦୧୮: ପୀଡ଼ିତାଙ୍କ ପିତାଙ୍କୁ ବିଧାୟକଙ୍କ ଭାଇ ଅତୁଲ ସିଂହ ଏବଂ ତାଙ୍କ ସମର୍ଥକଙ୍କ ଦ୍ବାରା ଆକ୍ରମଣ।। ମିଥ୍ୟା ମାମଲାରେ ପୀଡ଼ିତାଙ୍କ ପିତା ଗିରଫ।
ଏପ୍ରିଲ ୮, ୨୦୧୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ପୀଡ଼ିତାଙ୍କ ଆତ୍ମାହୁତି ଉଦ୍ୟମ। ଏହାପରେ ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଲା
ଏପ୍ରିଲ ୯, ୨୦୧୮: ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ
ଏପ୍ରିଲ ୧୩: ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଏବଂ ଅତୁଲ ସିଂହ ଗିରଫ
ଏପ୍ରିଲ ୧୫: ମାମଲାରେ ସିବିଆଇ ଦ୍ବାରା ଦ୍ବିତୀୟ ବ୍ୟକ୍ତି ଗିରଫ। ସେ ପୀଡ଼ିତାଙ୍କୁ ବିଧାୟକ ସେଙ୍ଗର ନିକଟକୁ ନେଇଥିବା ଅଭିଯୋଗ ହୋଇଥିଲା।
ଜୁଲାଇ ୪, ୨୦୧୯: ସେଙ୍ଗରଙ୍କ ଭାଇ ଅତୁଲ ସିଂହ ଦ୍ବାରା ରୁଜୁ ମାମଲାରେ ପୀଡ଼ିତାଙ୍କ ମାମୁଁ ଏକ ୧୯ ବର୍ଷର ପୁରୁଣା ମାମଲାରେ ଦୋଷୀସାବ୍ୟସ୍ତ ଏବଂ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ।
ଜୁଲାଇ ୧୭, ୨୦୧୯: ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ।
ଜୁଲାଇ ୨୮, ୨୦୧୯: ପୀଡ଼ିତା ତାଙ୍କ ପରିବାର ସଦସ୍ୟ ଓ ଆଇନଜୀବୀଙ୍କ ସହ ରାଏବରେଲି ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ତାଙ୍କ କାର୍କୁ ଧକ୍କା ଦେଇଥିଲା । ପୀଡ଼ିତାଙ୍କ ଦୁଇ ମାଉସୀଙ୍କର ଏଥିରେ ମୃତ୍ୟୁ ଘଟିଥିବା ବେଳେ ପୀଡ଼ିତା ଓ ତାଙ୍କ ଆଇନଜୀବୀ ଗୁରୁତର ଆହତ ହୋଇଥିଲେ।
ଜୁଲାଇ ୨୯, ୨୦୧୯: ଦୁର୍ଘଟଣା ମାମଲାରେ ସେଙ୍ଗର ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ଅଗଷ୍ଟ ୨, ୨୦୧୯: ଉନ୍ନାଓ ଦୁଷ୍କର୍ମ ମାମଲା ସମେତ ଏ ବାବଦ ସମସ୍ତ ୫ଟି ମାମଲାକୁ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।
ଡିସେମ୍ବର ୧୬, ୨୦୧୯: କୁଲଦୀପ ସିଂହ ସେଙ୍ଗର ଦୋଷୀସାବ୍ୟସ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/xfh47xf987hxf98h7fh987fs98h7sf89hhhhhhhhhhhhhhhhhhhh.jpg)