ଅମାନୁଷିକ ନିର୍ଯାତନାର କାହାଣୀ, ଦୁଷ୍କର୍ମ ଭିଡିଓ ଦେଖାଇ ବ୍ଲାକ୍‌ମେଲ କରିଚାଲିଥିଲା ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ନୌ, ମୃତ୍ୟୁ ସହ ୪୦ ଘଣ୍ଟାର ସଂଘର୍ଷ ପରେ ଉନ୍ନାଓ ପୀଡ଼ିତା ଆଖି ବୁଜିଥିଲେ ମଧ୍ୟ ବାସ୍ତବରେ ପୀଡ଼ିତାଙ୍କ ସଂଘର୍ଷ ୪୦ ଘଣ୍ଟାର ନଥିଲା। ପ୍ରାୟ ବ‌ର୍ଷେ ହେଲା ନର ପିଶାଚଙ୍କ ଦ୍ବାରା ସେ ଅତ୍ୟନ୍ତ ଅମାନୁଷିକ ନିର୍ଯାତନା ଭୋଗୁଥିଲେ। ପୀଡ଼ିତାଙ୍କ ଏଫ୍‌ଆଇଆରରୁ ଜଣାପଡ଼ିଛି ଯେ ପୀଡ଼ିତାଙ୍କୁ ବ୍ଲାକ୍‌ ମେଲ୍‌ କରି ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବମ୍‌ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା। ପୀଡ଼ିତା ଶିବମଙ୍କୁ ବିଶ୍ବାସ କରିଥିବାରୁ ସେ ତା’ର କଥାରେ ଲାଲ୍‌ଗଞ୍ଜ ଯାଇଥିଲେ। ତେବେ ଶିବମ ପୀଡ଼ିତାଙ୍କୁ ବନ୍ଦୀ କରି ଯୌନ ଦାସୀ ଭାବେ ରଖିଥିଲା। ତାଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲା। ଏହି ଭିଡିଓ ରେକର୍ଡିଂ ଦ୍ବାରା ସେ ପୀଡ଼ିତାଙ୍କୁ ବ୍ଲାକମେଲ୍‌ କରି ଚାଲିଥିଲା। ପୀଡ଼ିତାଙ୍କୁ ଘରୁ ପାଦ ନ କାଢ଼ିବାକୁ ଧମକ ଦିଆଯାଇଥିଲା। ଯଦି ସେ କୁଆଡ଼େ ଯାଆନ୍ତି କିମ୍ବା କଥା କେଉଁଠି ପ୍ରକାଶ କରନ୍ତି ତ‌େବେ ଭିଡିଓ ସୋ‌ସିଆଲ ମିଡିଆରେ ଭାଇରାଲ୍‌ କରିଦେବ ବୋଲି ଶିବମ ଧମକ ଦେଇଥିଲା। ପୀଡ଼ିତାଙ୍କୁ ସେ ରାଏ ବରେଲିର ଏକ ଭଡ଼ା ଘରେ ନେଇ ରଖିଥିଲା। ‌ତେବେ ଧରାପଡ଼ିବା ଭୟରେ ସେ ବାରମ୍ବାର ଘର ବଦଳାଉଥିଲା। ପୀଡ଼ିତାଙ୍କୁ ଘର ବାହାରକୁ ଚାହିଁବାକୁ ବି ମନା କରିଥିଲା। ଯେବେ ବି ସେ ଘର ବାହାରକୁ ଦେଖନ୍ତି, ତାଙ୍କୁ ଖୁବ୍‌ ମାଡ଼ ମରାଯାଏ ଏବଂ ପୁନର୍ବାର ଦୁଷ୍କର୍ମ କରାଯାଏ। କିନ୍ତୁ ପୀଡ଼ିତା ଶିବମ ସହ ଜାନୁଆରି ୧୯, ୨୦୧୮ରେ ସାମ୍ନାସାମ୍ନି ହୋଇଥିଲେ। ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିବାରୁ ସେ ବିବାହ କରିବାକୁ ବାଧ୍ୟ ବୋଲି କହିଥିଲେ। କିନ୍ତୁ ଅଭିଯୁକ୍ତ ଶିବମ ପୀଡ଼ିତାଙ୍କ ସହ ପୁଣିଥରେ ଛଳନା କରି ତାଙ୍କୁ ରାଏବରେଲି କୋର୍ଟ ନେଇଥିଲା ଏବଂ ସେଠାରେ ବିବାହ କଣ୍ଟ୍ରାକ୍ଟ୍‌ ପ୍ରସ୍ତୁତ କରିଥିଲା। ପୀଡ଼ିତାଙ୍କୁ ରାଏବରେଲିରେ ମାସେ ରଖିବା ପରେ ସେ ନିସ୍ତୁକ ମାଡ଼ ମାରି ତାଙ୍କ ଗ୍ରାମରେ ଛାଡ଼ି ଦେଇଥିଲା। ‌ପ‌ରେ ପୀଡ଼ିତାଙ୍କର ଶିବମଙ୍କ ସହ ଦେଖାହେବା ବେଳେ ସେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା। ଏହାପରେ ଭୟଭୀତ ହୋଇ ପୀଡ଼ିତା ତାଙ୍କ ମାଉସୀଙ୍କ ଘରେ ରହିଲେ। କିନ୍ତୁ ଶିବମ ପୀଡ଼ିତାଙ୍କ ଠିକଣା ପାଇଗଲା। ସେଠାରେ ପହଞ୍ଚି ତାଙ୍କୁ ଏକ ମନ୍ଦିରରେ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଡିସେମ୍ବର ୧୨, ୨୦୧୮ରେ ପୀଡ଼ିତା ବିବାହ ପାଇଁ ଶିବମଙ୍କ ସହ ମନ୍ଦିରକୁ ଯିବା ବାଟରେ ଶିବମ୍‌ ଏବଂ ତା’ର ଭାଇ ଶୁଭମ୍‌ ପୀଡ଼ିତାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଏନେଇ ପ୍ରଥମେ ରାଏବରେଲି ପୁଲିସରେ ଏଫ୍‌ଆଇଆର ଦେଇଥି‌େଲେ, କିନ୍ତୁ ପୁଲିସ ଏଫ୍‌ଆଇଆର ରୁଜୁ କରିନଥିଲା।

ସମ୍ବନ୍ଧିତ ଖବର