ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ଆଜି ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ରୁଜୁ ହୋଇଥିବା ଏଫ୍ଆଇଆରରେ ୧୫-୨୦ ଜଣ ଅଚିହ୍ନା ଲୋକଙ୍କ ନାଁ ଥିବା ଜଣାପଡ଼ିଛି। ଆଇପିସିର ଧାରା ୩୦୨, ୩୦୭, ୫୦୬, ୧୨୦ ବି ଅଧୀନରେ ଏଫ୍ଆଇଆର ରୁଜୁ ହୋଇଛି। ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ପରିବାର ସଦସ୍ୟ ଦାବି କରିଥିବାବେଳେ କଂଗ୍ରେସ ଏବେ ଉକ୍ତ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛି । କଂଗ୍ରେସ ମୁଖପାତ୍ର ମନୀଶ ତିୱାରୀ ଅଭିଯୋଗ କରିଛନ୍ତି ଯେ ପୀଡ଼ିତାଙ୍କ କଥାକୁ ଚାପି ଦିଆଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣାକୁ ନେଇ ଆଜି ଲୋକସଭାରେ ୬ ଜଣ କଂଗ୍ରେସ ବିଧାୟକ ମୁଲତବୀ ନୋଟିସ ଆଣିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତାକୁ ନେଇ ବିରୋଧୀ ଦଳ ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ବିଡ଼ମ୍ବନାର ବିଷୟ ହେଲା ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଜେଲ୍ରେ ଥିବା ଅଭିଯୁକ୍ତ ବିଧାୟକଙ୍କୁ କାରରେ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଏଫଆଇଆରରେ ଏହା ଉଲ୍ଲେଖ କରାଯାଇଛି।
ଭେଣ୍ଟିଲେଟରରେ ପୀଡ଼ିତା
ନୂଆଦିଲ୍ଲୀ: ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ଗୁରୁତର ହୋଇପଡ଼ିଛି। ଲକ୍ଷ୍ନୌର କେଜିଏମ୍ୟୁ( କିଙ୍ଗ୍ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟି) ହସ୍ପିଟାଲ୍ରେ ସେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ଦୁର୍ଘଟଣାରେ ତାଙ୍କ ଫୁସଫୁସ୍ରେ ଖୁବ୍ ଜୋର ଆଘାତ ଲାଗିଛି। ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଫ୍ରାକ୍ଚର ଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଡାକ୍ତରମାନେ ତାଙ୍କ ରକ୍ତଚାପ ସ୍ତର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷେ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ଆଇନଜୀବୀ ମଧ୍ୟ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦିଲ୍ଲୀ ମହିଳା କମିସନ୍ ମୁଖ୍ୟ ସ୍ବାତୀ ମଲିୱାଲ୍ ଆଜି ପୀଡ଼ିତାଙ୍କୁ ହସ୍ପିଟାଲ୍ରେ ଭେଟିଛନ୍ତି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯିବା ଉଚିତ୍ ବୋଲି ସ୍ବାତୀ ମଲିୱାଲ୍ କହିଛନ୍ତି। ସେ ମଧ୍ୟ ଦାବି କରିଛନ୍ତି ଯେ ଯୋଗୀ ସରକାରରୁ କେହି ଜଣେ ହେଲେ ଏଯାବତ୍ ପୀଡ଼ିତାଙ୍କୁ ଭେଟିନାହାନ୍ତି। ପୀଡ଼ିତାଙ୍କ ମା’ ମଧ୍ୟ ତାଙ୍କ ଝିଅର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବା ଉଚିତ୍ ବୋଲି ଦାବି କରିଛନ୍ତି।
ପୀଡ଼ିତାଙ୍କ ମା’ ଆଣିଲେ ଅଭିଯୋଗ ଜେଲ୍ରୁ ଧମକ ଦେଉଛନ୍ତି ବିଧାୟକ
ଦୁର୍ଘଟଣାର ସିବିଆଇ ତଦନ୍ତ ହେବ!
ଲକ୍ଷ୍ନୌ : ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍ ଗତକାଲି ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଘଟଣାରେ ପୀଡ଼ିତାଙ୍କ ୨ ମାଉସୀଙ୍କ ମୃତ୍ୟୁ ହୋଇଥିଲା। ପୀଡ଼ିତା , ତାଙ୍କ ମା’ ଏବଂ ପୀଡ଼ିତାଙ୍କ ଆଇନଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ଅଛି। ତେବେ ପୀଡ଼ିତାଙ୍କ ପରିବାର ସଦସ୍ୟ ଉକ୍ତ ଦୁର୍ଘଟଣାର ସିବିଆଇ ତଦନ୍ତ ଦାବି କରିବାପରେ ଖୁବ୍ ଶୀଘ୍ର ଏହି ମାମଲାର ସିବିଆଇ ତଦନ୍ତ ହେବ ବୋଲି କୁହାଯାଉଛି। ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଗତକାଲିର ଦୁର୍ଘଟଣା ପଛରେ ଅଭିଯୁକ୍ତ ବିଧାୟକଙ୍କ ହାତ ଅଛି। ତାଙ୍କ ପରିବାରକୁ ମୁଳପୋଛ କରିବାପାଇଁ ଷଡ଼୍ଯନ୍ତ୍ର କରାଯାଉଛି। ଏପରିକି ତାଙ୍କ ଝିଅକୁ ନ୍ୟାୟ ଦେବାପାଇଁ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ମୂଳପୋଛ କରିବାପାଇଁ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ କହିଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ ବିଧାୟକ ଜେଲ୍ରୁ ଆମକୁ ଧମକ ଦେଉଛି। ସେ ଜେଲ୍ରେ ଥିଲେ ମଧ୍ୟ ଜେଲ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛି ଏବଂ ଜେଲ୍ରୁ ହିଁ ସେ ତା କାର୍ଯ୍ୟ କରୁଛି। ଗତକାଲିର ଦୁର୍ଘଟଣା କେବଳ ଏକ ଦୁର୍ଘଟଣା ନୁହେଁ ଏହା ଏକ ଷଡ଼ଯନ୍ତ୍ର ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି। ଅନ୍ୟପକ୍ଷେ ପୀଡ଼ିତାଙ୍କ ଭଉଣୀ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି , ଉକ୍ତ ଦୁର୍ଘଟଣା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ସେ ବିଶ୍ବାସ କରୁଛନ୍ତି। ପୀଡ଼ିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁ ଟ୍ରକ୍ ସହ ଦୁର୍ଘଟଣା ହୋଇଥିଲା ସେହି ଟ୍ରକ୍ର ନମ୍ବର ପ୍ଲେଟ୍ରେ ମଧ୍ୟ କାଳି ବୋଳାଯାଇଛି। ନମ୍ବର ଭଲଭାବେ ପଢ଼ି ହେଉନି। ଏହା ଏକ ଷଡ଼୍ଯନ୍ତ୍ର ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତ ବିଧାୟକଙ୍କ ପତ୍ନୀ ସଙ୍ଗୀତା ସେଙ୍ଗର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟଙ୍କର କାହାର ହାତ ନାହିଁ ବୋଲି ସେ କହିଛନ୍ତି।
ଘଟଣାକ୍ରମ
୨୦୧୭ ଜୁନ୍ରେ ଦୁଷ୍କର୍ମ ହୋଇଥିଲା। ଘଟଣାର ବର୍ଷକ ପରେ ଉନ୍ନାଓ ନାବାଳିକା ପୀଡ଼ିତା (ବର୍ତ୍ତମାନ ୧୯ ବର୍ଷ) ବାଙ୍ଗରମାଉ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
୨୦୧୮, ଏପ୍ରିଲ ୮ରେ ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ଆତ୍ମହୁତି ଉଦ୍ୟମ କରିଥିଲେ। ଦୁଷ୍କର୍ମ ମାମଲା ନେଇ ପୀଡ଼ିତା ପୁଲିସରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ତାଙ୍କ ଅଭିଯୋଗ ନରଖିବାରୁ ସେ ଆତ୍ମହୁତି ଉଦ୍ୟମ କରିଥିଲେ।
ଏହାର ଠିକ୍ ଦିନକ ପରେ ଅସ୍ତ୍ରଶସ୍ତ୍ର ଆଇନରେ ଗିରଫ ହୋଇଥିବା ପୀଡ଼ିତା ବାପାଙ୍କର ହାଜତ ମୃତ୍ୟୁ ହୋଇଥିଲା। କୁଲଦୀପ ସେଙ୍ଗରଙ୍କ ଭାଇ ଏବଂ ତାର ସହଯୋଗୀମାନେ ପୀଡ଼ିତାଙ୍କ ବାପାଙ୍କୁ ମାରଧର କରି ତାଙ୍କୁ ଜୀବନରୁ ମାରି ଦେଇଥିଲେ। ମାମଲାରେ କୁଲଦୀପର ଭାଇ ଅତୁଲ ସିଂହ ସେଙ୍ଗର ଏବଂ ତା’ର ସହଯୋଗୀମାନଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଥିଲା।
ମାମଲାର ସିବିଆଇ ତଦନ୍ତ ହେବାପରେ ଜଣାପଡ଼ିଲା ଯେ ସେଙ୍ଗର ଏବଂ ତାଙ୍କ ସହଯୋଗୀମାନେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଅଭିଯୋଗ ପ୍ରତ୍ୟାହାର କରିବାପାଇଁ ବାଧ୍ୟ କରିଥିଲେ।
ଏହି ମାମଲାରେ ମଧ୍ୟ ସିବିଆଇ ୩ ଜଣ ପୁଲିସ ଅଧିକାରୀ ଏବଂ ମଖି ଏସ୍ଏଚଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
କୁଲଦୀପ ସେଙ୍ଗରଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କଲା।
ପୀଡ଼ିତା ବାପାଙ୍କ ହାଜତ ମୃତ୍ୟୁ ମାମଲାର ପ୍ରମୁଖ ସାକ୍ଷୀ ମହମ୍ମଦ ୟୁନସଙ୍କର ଗତ ଅଗଷ୍ଟରେ ରହସ୍ୟଜନକ ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ ବିଷ ଦେଇ ମାରି ଦିଆଯାଇଥିଲା ବୋଲି ପୀଡ଼ିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯିବାପରେ ତାଙ୍କୁ ସୁରକ୍ଷା ଦିଆଯାଇଥିଲା। ସୁରକ୍ଷା ଦାୟିତ୍ବରେ ୩ ଜଣ ସୁରକ୍ଷାକର୍ମୀ ଥିଲେ। କିନ୍ତୁ ଗତକାଲି ଦୁର୍ଘଟଣା ବେଳେ ସେମାନଙ୍କ ସହ କେହି ଜଣେ ବି ସୁରକ୍ଷାକର୍ମୀ ଉପସ୍ଥିତ ନଥିଲେ। ଏନେଇ ଏବେ ପ୍ରଶ୍ନ ଉଠିଛି।
ପୀଡ଼ିତା ତାଙ୍କ ଆଇନଜୀବୀ ଏବଂ ପରିବାର ଲୋକଙ୍କ ସହ ରାଏବରେଲି ଜେଲ୍ରେ ଥିବା ତାଙ୍କ ମାମୁଁଙ୍କୁ ଭେଟିବାପାଇଁ ଉନ୍ନାଓରୁ ରାଏବରେଲିକୁ ଯାଉଥିବାବେଳେ ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତାଙ୍କର ୨ ଜଣ ମାଉସୀ ପ୍ରାଣ ହରାଇଛନ୍ତି।
ଯେଉଁ ଟ୍ରକ୍ ସହ ପୀଡ଼ିତାଙ୍କ କାର୍ ପିଟି ହୋଇଥିଲା ତା’ର ନମ୍ବର ପ୍ଲେଟ୍ରେ କାଳି ବୋଳି ଦିଆଯାଇଥିବା ଜଣାପଡ଼ିଛି। ତେବେ ପୁଲିସ କୌଶଳକ୍ରମେ ଗାଡ଼ି ନମ୍ବର ଜାଣିପାରିଛି ଏବଂ ଗାଡ଼ି ଡ୍ରାଇଭର ମଧ୍ୟ ଏବେ ପୁଲିସ ହାତରେ ଧରା ପଡ଼ିଛି।
ପୀଡ଼ିତା ଏବଂ ତାଙ୍କ ଆଇନଜୀବୀଙ୍କ ଅବସ୍ଥା ଏବେ ଗୁରୁତର ଅଛି। ପୀଡ଼ିତାଙ୍କ ମା’ କହିଛନ୍ତି ତାଙ୍କ ପରିବାରକୁ ମୂଳପୋଛ କରିବାପାଇଁ ଏହା ଏକ ଷଡ଼୍ଯନ୍ତ୍ର।