ଉନ୍ନାଓ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ କାର୍ ଆଜି ଏକ ଟ୍ରକ୍ ସହ ମୁହାମୁହିଁ ଧକ୍କାରେ ଚୁର୍ମାର ହୋଇଯାଇଛି। ଏଥିରେ ପୀଡ଼ିତାଙ୍କ ସ୍ଥିତି ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କ ମା’ ଏବଂ ମାଉସୀଙ୍କ ମୃତ୍ୟୁ ଘଟିଛି। ଏହି କାର୍ରେ ଯାଉଥିବା ପୀଡ଼ିତାଙ୍କ ଓକିଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି। ପୀଡ଼ିତା ଓ ତାଙ୍କ ଓକିଲଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ସଂପର୍କୀୟମାନେ ଏହି ଦୁର୍ଘଟଣାକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ଏଥିରେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ହାତ ରହିଛି ବୋଲି କହିଛନ୍ତି। ମାମଲାର ତଦନ୍ତ ପାଇଁ ଲକ୍ଷ୍ନୌ ଆଇଜି ଘଟଣାସ୍ଥଳକୁ ଏକ ଫରେନ୍ସିକ ଟିମ୍ ପଠାଇଛନ୍ତି। ଟ୍ରକ୍ ଡ୍ରାଇଭର ଏବଂ ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ପୀଡ଼ିତାଙ୍କୁ ପୁଲିସ ସୁରକ୍ଷା ଉପଲବ୍ଧ ଥିଲେ ମଧ୍ୟ ତାଙ୍କ ଗାଡ଼ିରେ ସ୍ଥାନ ନଥିବାରୁ ସେଥିରେ ସୁରକ୍ଷା କର୍ମୀ ନଥିଲେ ବୋଲି ଆଇଜି କହିଛନ୍ତି। ସମାଜବାଦୀ ପାର୍ଟି ନେତାମାନେ ପୀଡ଼ିତାଙ୍କ ସଂପର୍କୀୟଙ୍କୁ ଭେଟିବା ପରେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ଉନ୍ନାଓରୁ ରାୟବରେଲି ଅଭିମୁଖେ ଯାତ୍ରା କରୁଥିଲେ। ସେଠାରେ ଜେଲ୍ରେ ଥିବା ଜଣେ ସଂପର୍କୀୟଙ୍କୁ ଭେଟିବା ପାଇଁ ସେମାନେ ଯାଉଥିଲେ। ଫତେହପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ କାର୍କୁ ଧକ୍କା ଦେଇଥିଲା। ଟ୍ରକ୍ ମାଲିକ ମଧ୍ୟ ଫତେହପୁରର ବୋଲି ଜଣାପଡ଼ିଛି। ଉନ୍ନାଓର ବାଂଗରମଉ ବିଧାୟକ କୁଲ୍ଦୀପ ସେଙ୍ଗର ଓ ତାଙ୍କର କେତେକ ସହଯୋଗୀ ୪ ଜୁନ୍ ୨୦୧୭ରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୁଲଦୀପଙ୍କ ବିରୋଧରେ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp