ଉନ୍ନାଓ: ୨୩ ବର୍ଷୀୟା ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଝିଅକୁ ନ୍ୟାୟ ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ହାଇଦ୍ରାବାଦରେ ଯେଭଳି ମାତ୍ର ୧୦ ଦିନ ମଧ୍ୟରେ ଦୋଷୀମାନଙ୍କୁ ସଜା ମିଳିଲା ଠିକ୍ ସେହି ଢଙ୍ଗରେ ତାଙ୍କ ଝିଅକୁ ଯେଉଁମାନେ ଜାଳି ଦେଇଛନ୍ତି ସେମାନଙ୍କୁ ବି ସପ୍ତାହକ ମଧ୍ୟରେ ଗୁଳି କରି ମାରି ଦିଆଯାଉ ନଚେତ୍ ଫାଶୀ ଦିଆଯାଉ ବୋଲି ସେ କହିଛନ୍ତି। ଏହା ସରକାରଙ୍କୁ ଆମର ଅନୁରୋଧ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଲୋକମାନେ ନ୍ୟାୟ ବ୍ୟବସ୍ଥା ଉପରୁ ଧୀରେ ଧୀରେ ଆସ୍ଥା ହରାଇ ଦେଲେଣି। ନ୍ୟାୟ ପାଇଁ ଲୋକଙ୍କୁ ଅନେକ ଦୌଡ଼ିବାକୁ ପଡ଼ୁଛି। ସେ ନିଜେ ମଧ୍ୟ ତାଙ୍କ ଝିଅକୁ ଗତବର୍ଷ କୋର୍ଟ ନେଇ ଯାଇଥିଲେ। ତେବେ ନ୍ୟାୟ ବ୍ୟବସ୍ଥା ଏତେ ଲମ୍ବା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ ଏହି ମାମଲାଗୁଡ଼ିକରେ ଏକ ସମୟସୀମା ଠିକ୍ କରିବା ଉଚିତ୍ ଏବଂ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବା ଉଚିତ୍ ବୋଲି ସେ କହିଛନ୍ତି। ହାଇଦ୍ରାବାଦ୍ ପୁଲିସର ଏନ୍କାଉଣ୍ଟରକୁ ଉନ୍ନାଓ ପୀଡ଼ିତାଙ୍କ ବାପା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧରେ ଯେଉଁମାନେ ସାମିଲ ସେମାନଙ୍କ ନିକଟରେ ହାଇଦ୍ରାବାଦ୍ ପୁଲିସର କାର୍ଯ୍ୟାନୁଷ୍ଠାନ ଏକ ଶକ୍ତ ବାର୍ତ୍ତା ପହଞ୍ଚାଇବ। ପୀଡ଼ିତାଙ୍କ ଭାଇ ମଧ୍ୟ ତାଙ୍କ ଭଉଣୀ ପାଇଁ ନ୍ୟାୟ ଦାବି କରିଛନ୍ତି। ପୀଡ଼ିତାଙ୍କ ଭାଇ କହିଛନ୍ତି, ମୋ ଭଉଣୀ ବଞ୍ଚିବାକୁ ଚାହିଥିଲା କିନ୍ତୁ ତାକୁ ଆମେ ବଞ୍ଚାଇ ପାରିଲୁ ନାହିଁ । କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତ ବି ବଞ୍ଚିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ସେମାନଙ୍କୁ ଏନ୍କାଉଣ୍ଟରରେ ମରାଯାଉ, ନଚେତ୍ ଫାଶୀ ଦିଆଯାଉ ବୋଲି ସେ କହିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ଶରୀର ଜଳି ଯାଇଥିବାରୁ ତାଙ୍କୁ ସମାଧି ଦିଆଯିବ ବୋଲି ତାଙ୍କ ଭାଇ କହିଛନ୍ତି।
ଦୋଷୀଙ୍କୁ ଗୁଳି ମାର, ନହେଲେ ଫାଶୀ ଦିଅ: ପୀଡ଼ିତାଙ୍କ ବାପା
/sambad/media/post_attachments/wp-content/uploads/2019/09/hanging-indiatoday.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)