ନୂଆଦିଲ୍ଲୀ : ଗତ ଜୁଲାଇ ୨୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବା ଜଣାପଡ଼ିଛି । ଫେରିବା ପରେ ସେ ନିଜ ପରିବାର ସହିତ ନିଜ ଘରକୁ ନ ଯାଇ ଦିଲ୍ଲୀରେ ରହିବେ । କାରଣ ନିଜ ସହରରେ ପୀଡ଼ିତାଙ୍କ ଜୀବନକୁ ବିପଦ ଥିବାରୁ ସେ ପରିବାର ସହ ଦିଲ୍ଲୀ ରହିବେ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ସୂତ୍ରରୁ ପ୍ରକାଶ।
ସୂଚନା ମୁତାବକ, ପୀଡ଼ିତା ନାବାଳିକା ଥିବା ବେଳେ ନିଲମ୍ବିତ ବିଜେପି ବିଧାୟକ କୁଲଦୀପ୍ ସିଂହ ସେନ୍ଗର ୨୦୧୭ରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ଆସିଥିଲା। ପୁଲିସରେ ଅଭିଯୋଗ ହେବାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୀଡ଼ିତା ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଅଭିଯୋଗ ଆସିଥିଲା କି ଜେଲ୍ରେ ଥାଇ ପୀଡ଼ିତାଙ୍କୁ ହତ୍ୟା କରିବା ପାଇଁ ଜୁଲାଇ ୨୮,୨୦୧୯ରେ ସଡ଼କ ଦୁର୍ଘଟଣାର ଯୋଜନା କରିଥିଲେ ବିଧାୟକ । କିନ୍ତୁ ସୌଭାଗ୍ୟବଶତଃ ପୀଡ଼ିତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।