ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ: ବନ୍ଦୀକରି ‘ଯୌନ କ୍ରୀତଦାସୀ’ କରି ଦେଇଥିଲେ

ରାଏବରେଲୀ (ଉତ୍ତରପ୍ରଦେଶ): ୨୦୧୮ ଡିସେମ୍ବରରେ ଉନ୍ନାଓରେ ଘଟି ଯାଇଥିବା ଗଣଦୁଷ୍କର୍ମର ପୀଡ଼ିତାଙ୍କୁ ଗତକାଲି (ଗୁରୁବାର) ଅଭିଯୁକ୍ତମାନେ ସ୍ପଷ୍ଟ ଦିବାଲୋକରେ ଜୀଅନ୍ତା ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ବେଳେ ସେ ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ, ପୀଡ଼ିତା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ, ତାଙ୍କ ସହ ଘଟି ଯାଇଥିବା ଅପରାଧ ସଂପର୍କରେ ପୁଲିସ୍‌କୁ ଯେଉଁ ଜମାନବନ୍ଦୀ ଦେଇଛନ୍ତି, ତାକୁ ଶୁଣିବା ପରେ ଖୋଦ୍‌ ପୁଲିସ ମଧ୍ୟ ତଟସ୍ଥ ହୋଇ ରହି ଯାଇଛି।
ପୀଡ଼ିତା କହିଛନ୍ତି ଯେ ଅଭିଯୁକ୍ତମାନେ କେବଳ ତାଙ୍କୁ ଗଣଦୁଷ୍କର୍ମ କରି ନଥିଲେ ବରଂ ଏକ ଘରେ ତାଙ୍କୁ ବନ୍ଦୀକରି ରଖିବା ସହ ତାଙ୍କୁ ମାରଧର କରି ‘ଯୌନ କ୍ରୀତଦାସୀ’ ସ୍ବରୂପ ବ୍ୟବହାର କରୁଥିଲେ। ଏବଂ ତାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ତାହାର ଭିଡିଓ ରେକର୍ଡିଂ କରିବା ସହ ସେ ଯଦି ଏହି ଘଟଣା ବାବଦରେ କାହାକୁ କିଛି କହନ୍ତି ତେବେ ତାଙ୍କର ସମସ୍ତ ଭିଡିଓକୁ ଇଣ୍ଟରନେଟରେ ଛାଡ଼ିଦେବେ ବୋଲି ଧମକ ଦେଉଥିଲେ।

ପୀଡ଼ିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶିଭମ୍‌ ତ୍ରିବେଦୀ ନାମକ ଜଣେ ଯୁବକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ରାଏବରେଲୀର ଲାଲଗଞ୍ଜକୁ ‌ନେଇ ଯାଇଥିଲେ। ହେଲେ, ସେଠାରେ ସେ ତାଙ୍କୁ ବିବାହ କରିବା ପରିବର୍ତ୍ତେ ଗୋଟିଏ ଘରେ ବନ୍ଦୀକରି ସେ ଓ ତାର ବନ୍ଧୁମାନେ ତାଙ୍କୁ ଦୁଷ୍କର୍ମ କରିବା ସହ ତାହାର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଏ ସଂପର୍କରେ ପୀଡ଼ିତା ପ୍ରଥମେ ମାର୍ଚ୍ଚ ୫ ତାରିଖରେ ପ୍ରଥମେ ଉନ୍ନାଓର ଭଟ୍ଟ ପୁଲିସ୍‌ ଥାନା ଓ ମାର୍ଚ୍ଚ ୬ ତାରଖରେ ଲାଲଗଞ୍ଜ ପୁଲିସ୍‌ ଥାନାରେ ଅଭିଯୋଗ କରିଥିଲେ। ହେଲେ, ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେଇ ଏକ ଘରେ ବନ୍ଦୀ କରି ରଖିବା ସହ ତାଙ୍କ ସହ ‘ଯୌନ କ୍ରୀତଦାସୀ’ ସ୍ବରୂପ ବ୍ୟବହାର କରୁଥିଲେ। ତେବେ, ଗତକାଲି, ପୀଡ଼ିତା କୌଶଳ କ୍ରମେ ଖସିଯାଇ ରାଏବରେଳୀ ଅଦାଳତକୁ ଯାଉଥିବା ବେଳେ ୨ ଦୁଷ୍କର୍ମକାରୀଙ୍କ ସମେତ ଅନ୍ୟ ୩ଜଣ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର