ଅସୁରକ୍ଷିତ ଯୌନ ସମ୍ପର୍କ ଦିଲ୍ଲୀରେ ମଙ୍କିପକ୍ସର ପ୍ରସାର ଘଟାଉଛି

ନୂଆଦିଲ୍ଲୀ : ନୂଆଦିଲ୍ଲୀ-ସ୍ଥିତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରଥମ ପାଞ୍ଚଜଣ ମଙ୍କିପକ୍ସ ରୋଗୀଙ୍କ ଉପରେ ଅନୁଧ୍ୟାନରୁ ଜଣାପଡ଼ିଲା ଯେ ସେମାନେ ଯୌନ ସମ୍ପର୍କ ମାଧ୍ୟମରେ ଏହି ରୋଗକାରକ ଭୂତାଣୁଙ୍କ ଶିକାର ହୋଇଛନ୍ତି। ଏହାପରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରାରମ୍ଭିକ ଲକ୍ଷଣରୁ ରୋଗ ଚିହ୍ନିବା ପାଇଁ ପରାମର୍ଶ ଦିଆଯାଇଛି। କାରଣ ପୂର୍ବରୁ ରୋଗ ଚିହ୍ନଟ ହୋଇଗଲେ ରୋଗୀଙ୍କୁ ଭଲ କରିବା ସହଜ ହୋଇଥାଏ।

ନିକଟରେ ଏକ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ କୌଣସି ଯାତ୍ରାର ଇତିହାସ ନ ଥିବା ୫ ଜଣ ଲୋକଙ୍କଠାରେ ମାରାତ୍ମକ ମଙ୍କିପକ୍ସ ହୋଇଥିଲା। ଅସୁରକ୍ଷିତ ଯୌନ ସଂସ୍ରବ ଦ୍ବାରା ସେମାନେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ପଚରାଉଚରା ତଥା ପରୀକ୍ଷାରୁ ଜଣାପଡ଼ିଥିଲା। ମଙ୍କିପକ୍ସ ହେଉଛି ଏପରି ଏକ ରୋଗ ଯାହା ଏଚ୍‌ଆଇଭି-ଏଡ଼ସ୍, ହେପାଟାଇଟିସ୍-ବି ପ୍ରଭୃତି ପରି ଯୌନ କାର୍ଯ୍ୟକଳାପ ମାଧ୍ୟମରେ ସଂକ୍ରମିତ ହୋଇଥାଏ।

ଉକ୍ତ ୫ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣ ମାନିଥିଲେ ଯେ ସେମାନେ ୨୧ ଦିନ ଭିତରେ ଯୌନ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଅନ୍ୟ ଦୁଇଜଣ ମାନି ନ ଥିଲେ। ଗବେଷକମାନଙ୍କ ମତରେ ସାମାଜିକ କଳଙ୍କ ଲାଗିବା ଭୟରେ ସେମାନେ ମାନି ନ ଥିଲେ। କିନ୍ତୁ ତାହା ହିଁ ରୋଗ ସଂକ୍ରମଣର ଏକମାତ୍ର କାରଣ । ଉକ୍ତ ୫ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ। ଉପଯୁକ୍ତ ଚିକିତ୍ସା ଦ୍ବାରା ସେମାନେ ସୁସ୍ଥ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର