ସମାଧାନ ହୋଇନି ଓଡ଼ିଶାର ଆପତ୍ତି: ଆଜି ପୋଲାଭରମ ଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ଏଯାବତ୍‌ ଆନ୍ଧ୍ର-ଓଡ଼ିଶା ବିବାଦର ସମାଧାନ ହୋଇନାହିଁ। ଏ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ଏପରିସ୍ଥଳେ ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର ତ୍ବରିତ୍‌ କ୍ରିୟାନ୍ବୟନ ଉପରେ ଗୁରୁତ୍ବାରୋପ କରିବା ସହ ଆସନ୍ତାକାଲି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବେ ଏନ୍‌ଡିଏ ସରକାରରେ ପ୍ରମୁଖ ଅଂଶୀଦାରୀ ଦଳ। ହସ୍ତଗତ ସୂଚନା ଅନୁସାରେ, ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ନାଇଡ଼ୁ ଦିଲ୍ଲୀ ଗସ୍ତ କରି ୧୨,୧୫୪ କୋଟି ଟଙ୍କା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବେ। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ୭୦ ପ୍ରତିଶତ ଶେଷ ହୋଇଥିବାବେଳେ ୨୦୨୫ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଧ୍ର ଯେଉଁ ଲକ୍ଷ୍ୟ ରଖିଛି, ତାହାକୁ ତ୍ବରାନ୍ବିତ କରିବେ। ଅନ୍ୟପକ୍ଷରେ, ପୋଲାଭରମ ପ୍ରକଳ୍ପର ପଛୁଆ ବନ୍ୟାଜଳ ଦ୍ବାରା ମ‌ାଲକାନଗିରି ଜିଲ୍ଲାର ଅନେକ ଗ୍ରାମ ଜଳମଗ୍ନ ହେବ ବୋଲି ଓଡ଼ିଶାର ଆପତ୍ତି ରହିଛି। ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅରିଜିନାଲ୍‌ ସୁଟ ଓ ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ରେ ଓଡ଼ିଶା ଓ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୋଲାଭରମ ପ୍ରକଳ୍ପ ସମେତ ୬ ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ତତ୍ପରତା ଦେଖାଇଥିଲେ। ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଦୁଇ ତିନି ପର୍ଯ୍ୟାୟ ବୈଠକ ଭିଡିଓ କନଫରେନସିଂ ଜରିଆରେ ହୋଇଥିଲା। ହେଲେ, କୌଣସି ଗୋଟିଏ ପ୍ରସଙ୍ଗରେ ସେତେବେଳେ ସମାଧାନ ହୋଇପାରିନଥିଲା। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି କେବଳ ଓଡ଼ିଶା ନୁ‌ହେଁ, ଛତିଶଗଡ଼ ଓ ତେଲେଙ୍ଗାନା ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।। ଛତିଶଗଡ଼ ଓ ତେଲେଙ୍ଗାନା ମଧ୍ୟ ସୁପ୍ରିମ‌କୋର୍ଟରେ ଅରିଜିନାଲ ସୁଟ୍‌ ଦାଖଲ କରିଛନ୍ତି। ଶୁଣାଣି ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଇସ୍ୟୁ ମଧ୍ୟ ନିର୍ଦ୍ଧାରଣ କରିସାରିଛନ୍ତି। ଏହା ବାଦ୍‌ ସେପ୍ଟେମ୍ବର ୬, ୨୦୨୨ରେ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ସୂତ୍ର ବାହାର କରିବା ପାଇଁ କେନ୍ଦ୍ର ସରକାର ଅଗ୍ରଣୀ ଭୂମିକା ନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପକ୍ଷଭକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିବା ପାଇ ପାଇଁ ଦୁଇଥର ପ୍ରୟାସ କରାଯାଇଥିଲା। ମନ୍ତ୍ରାଳୟକୁ ଏଥିରେ ସଫଳତା ମିଳିପାରିନଥିଲା। ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା। ଏଥିସହିତ ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶାନାମା ପାଇଁ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧିତ ଖବର