୬ ରାଜ୍ୟରେ ଅଶାନ୍ତ ସ୍ଥିତି: ଥମୁନି ରାମନବମୀ ହିଂସା

ନୂଆଦିଲ୍ଲୀ: ରାମନବମୀ ଶୋଭାଯାତ୍ରାକୁ କେନ୍ଦ୍ର କରି ଗତକାଲି ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଗୁଜରାଟ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ସାଂପ୍ରଦାୟିକ ସଂଘର୍ଷ ଓ ପୋଡ଼ାଜଳା ଦେଖିବାକୁ ମିଳିଛି। ଉକ୍ତ ରାଜ୍ୟଗୁଡ଼ିକରେ ଅଶାନ୍ତି ସ୍ଥିତି ଲାଗି ରହିଥିବାରୁ କେନ୍ଦ୍ର ସରକାର ସତର୍କ ନଜର ରଖିଛନ୍ତି। ହିଂସା ଯୋଗୁଁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ପଶ୍ଚିମବଙ୍ଗରେ ଆଜି ମଧ୍ୟ ହିଂସା ଓ ଉପଦ୍ରବକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ହାୱଡ଼ାରେ ଗତକାଲି ରାମ ନବମୀ ଶୋଭାଯାତ୍ରା ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ସ୍ଥିତି ଅତ୍ୟନ୍ତ ଜଟିଳ ରୂପ ନେଇଥିଲା। ବିଶୃଙ୍ଖଳ ଲୋକମାନେ ଅନେକ ଗାଡ଼ି ଜାଳିଦେବା ସହ ଦୋକାନ‌ ଭଙ୍ଗାରୁଜା କରିଥିଲେ। ହାୱଡ଼ାରେ ଆଜି ସଦ୍ୟ ହିଂସା ଉପୁଜିବା ପରେ ପୁଲିସ ଫ୍ଲାଗ୍‌ ମାର୍ଚ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇଛନ୍ତି। ଗୁରୁବାର ହିଂସା ଘଟଣାରେ ୩୬ ଜଣ ଗିରଫ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବିଶାଳ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ସହ ବିଜେପି ରାଜ୍ୟ‌ରେ ସାମ୍ପ୍ରଦାୟିକ ହିଂସା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ହିଂସା ପାଇଁ ମମତାଙ୍କ ତୁଷ୍ଟୀକରଣ ରାଜନୀତିକୁ ଦାୟୀ କରିଛି।

ମହାରାଷ୍ଟ୍ର‌ର ଔରଙ୍ଗାବାଦ, ମଲଡ଼ ଏବଂ ଜଲଗାଓଁରେ ହିଂସ‌ା‌ ଉପୁଜିଛି। ଛତ୍ରପତି ଶମ୍ଭାଜୀନଗର ସ୍ଥିତ ରାମମନ୍ଦିରରେ ଗତକାଲି ହିଂସା ଯୋଗୁଁ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଶେଖ୍‌ ମୁନିରୁ୍ଦ୍ଦିନ। ସଂଘର୍ଷ ଯୋଗୁଁ ୧୦ ପୁଲିସ କର୍ମୀଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ମଲାଡ଼ରେ ମଧ୍ୟ ରାମନବମୀ ଶୋଭାଯାତ୍ରା ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ମାମଲାରେ ୬୦ରୁ ଅଧିକ ଗିରଫ ‌ହୋଇଛନ୍ତି। ଗୁଜରାଟର ବଡ଼ୋଦରାରେ ରାମନବମୀ ଉତ୍ସବ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି। ହିଂସା ଯୋଗୁଁ ୫ ମହିଳାଙ୍କ ସମେତ ମୋଟ୍‌ ୨୩ ଜଣ ଗିରଫ ହୋଇଛନ୍ତି। ବିହାରର ମୁଙ୍ଗେରରେ ହିଂସା ଉପୁଜିଛି। ୨୦୦ ଲୋକଙ୍କ ବି‌ରୋଧରେ ମାମଲା ରୁଜୁ ହୋଇଛି। ସାସାରାମରେ ଧାରା ୧୪୪ ଜାରି ହୋଇଛି। ଉକ୍ତ ଅଞ୍ଚଳରେ ପଥର ମାଡ଼ ଜାରି ରହିଛି। କର୍ଣ୍ଣାଟକର ହାସନରେ ଏକ ମସଜିଦ୍‌ ନିକଟରେ ହିଂସା ହୋଇଛି। ରାମ ନବମୀ ଶୋଭାଯାତ୍ରା ଏକ ମସଜିଦ ଦେଇ ଗତି କରୁଥିବାବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଉକ୍ତ ଘଟଣାରେ ୧୨ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର