ମୁଜାଫରାବାଦ: ପାକ୍ ଅଧିକୃତ କଶ୍ମୀର(ପିଓକେ)ର ରାଜଧାନୀ ମୁଜାଫରାବାଦରେ ଗତ ୩ ଦିନ ଧରି ବିସ୍ଫୋରକ ସ୍ଥିତି ଲାଗି ରହିଛି। ସମଗ୍ର ଅଞ୍ଚଳ ପ୍ରତି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା, ଦରଦାମ ବୃଦ୍ଧି ଓ ମାତ୍ରାଧିକ ଟିକସଲାଗୁ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଓ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ହିଂସା ବ୍ୟାପିବାରେ ଲାଗିଛି। ପୁଲିସ ଓ ସେନା କାର୍ଯ୍ୟାନୁଷ୍ଠାନରେ ଗତ ୪୮ ଘଣ୍ଟା ମଧ୍ୟରେ ୧୨୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜଣେ ପୁଲିସ ସବ୍ ଇନିସ୍ପେକ୍ଟରଙ୍କୁ ପିଟି ପିଟି ମାରିଦେଇଛନ୍ତି। ହିଂସାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଲୋକଙ୍କ ଆକ୍ରମଣରେ ୨୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଦରଦାମ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଆଜାଦୀ ବା ସ୍ବାଧୀନତା ପାଇଁ ଦାବି କଲାଣି। ଅନେକ ସଂଗଠନ ସ୍ବାଧୀନତା ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରିଛନ୍ତି। ଆଜି ମଧ୍ୟ ଆନ୍ଦୋଳନକାରୀମାନେ ପୁଲିସ ପ୍ରତିଷ୍ଠାନଗୁଡ଼ିକୁ ଘେରାଉ କରି ରଖିବା
ସହ ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଛନ୍ତି। ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଶ୍ବାସନା ଦିଆଯାଇନାହିଁ ଏବଂ ବଳପ୍ରୟୋଗ ଦ୍ବାରା ଆନ୍ଦୋଳନ ଦମନ ପାଇଁ ପ୍ରୟାସ ଚାଲିଛି। ଆନ୍ଦୋଳନକାରୀମାନେ ତ୍ରିରଙ୍ଗା ଧରି ଆନ୍ଦୋଳନ କରୁଥିବା ବେଳେ ପାକ୍ ସେନା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପୁଲିସ ଓ ସେନା କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ଆନ୍ଦୋଳନକାରୀମାନେ ମଧ୍ୟ ହିଂସାର ଆଶ୍ରୟ ନେଇଥିବାରୁ ସ୍ଥିତି ଜଟିଳ ରୂପ ନେଇଛି। ପିଓକେର ଦାଦିୟାଲ, ମୀରପୁର, ସମନି, ସେହାନସା, ରାୱଲକୋଟ, ଖୁଇରଟ୍ଟା, ତତ୍ତାପାଣି ଏବଂ ହାଟିଆନରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା। ଉଭୟ ପଟୁ ଅନେକ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଆନ୍ଦୋଳନକାରୀମାନେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଲାଠିରେ ମାଡ଼ ମାରି ଘଉଡ଼ାଉଛନ୍ତି। ଗତକାଲି ପୁଲିସ ବାହିନୀ ଏକେ-୪୭ ରାଇଫଲରୁ ଗୁଳି ମାଡ଼ କରିବା ପରଠାରୁ ଆନ୍ଦୋଳନ ଆହୁରି ଉଗ୍ର ହୋଇଛି। ପାକିସ୍ତାନ ରେଞ୍ଜର୍ସ ଏବଂ ଫ୍ରଣ୍ଟିୟର କର୍ପସରୁ ଅତିରିକ୍ତ ସୈନ୍ୟ ମୁତୟନ କରି ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଗିରଫ କରି ପ୍ରଶାସନ ଯୋଜନାବଦ୍ଧ ଭାବେ ବିକ୍ଷୋଭକୁ ଦମନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhsffhsfh.jpg)