ଆତଙ୍କବାଦ ଓ ଚୋରାଚାଲାଣ ପାଇଁ ସାମୁଦ୍ରିକ ପଥର ବ୍ୟବହାର ହେଉଛି : ମୋଦୀ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ଆୟୋଜିତ ଖୋଲା ବିତର୍କରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ବରେ ପ୍ରଥମ ଥର ପାଇଁ ସାମୁଦ୍ରିକ ସୁରକ୍ଷା ଉପରେ ନିରାପତ୍ତା ପରିଷଦ ପରି ଏକ କ୍ଷମତାଶାଳୀ ମଞ୍ଚରେ ଆଲୋଚନା ହୋଇଛି । ଏହି ଭର୍ଚୁଆଲ ସମ୍ମିଳନୀରେ ନିରାପତ୍ତା ପରିଷଦର ସଦସ୍ୟ ଥିବା ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

‘ସାମୁଦ୍ରିକ ସୁରକ୍ଷା ଓ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି’ ପ୍ରସଙ୍ଗରେ ଆୟୋଜିତ ଏହି ବିତର୍କରେ ମୋଦୀ କହିଛନ୍ତି ଯେ ସାମୁଦ୍ରିକ ପଥଗୁଡ଼ିକ ହେଉଛନ୍ତି ଅନ୍ତର୍ଜାତୀୟ ବାଣିଜ୍ୟ କାରବାରର ଜୀବନରେଖା । ଆମ ପୃଥିବୀର ଭବିଷ୍ୟତ ପାଇଁ  ମହାସାଗରଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।  କିନ୍ତୁ ଏବେ ଆତଙ୍କବାଦ ଓ ଚୋରାଚାଲାଣ ପାଇଁ ସାମୁଦ୍ରିକ ପଥଗୁଡ଼ିକର ବ୍ୟବହାର କରାଯାଉଛି ।

ସେ କହିଛନ୍ତି ଯେ ସାମୁଦ୍ରିକ ବାଣିଜ୍ୟ କାରବାର ଆଗରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାକୁ ହେବ । ସମୁଦ୍ରର ସୁରକ୍ଷା ପାଇଁ ବିଶ୍ବ ସମୁଦାୟ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ସାମୁଦ୍ରିକ ସୀମା ନେଇ ଥିବା ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଓ ମିଳିତ ଭାବେ ପ୍ରାକୃତିକ ଓ ମାନବକୃତ ଦୁର୍ବିପାକର ମୁକାବିଲା ପାଇଁ ମୋଦୀ ଆହ୍ବାନ ଜଣାଇଛନ୍ତି ।

 

ସମ୍ବନ୍ଧିତ ଖବର