ନିରାପତ୍ତା ପରିଷଦରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ

ଜାତିସଂଘରେ ନିନ୍ଦା ପ୍ରସ୍ତାବକୁ ରୋକିଲା ରୁଷ୍‌, ପ୍ରସ୍ତାବ ବିରୋଧରେ ଭିଟୋ ପ୍ରୟୋଗ, ଚୀନ୍‌, ୟୁଏଇ ବି ଭୋଟ୍‌ରୁ ବିରତ ରହିଲେ

ଜାତିସଂଘ : ୟୁକ୍ରେନ୍‌ରେ ଧ୍ବଂସଲୀଳା ଚଳାଇଥିବା ରୁଷ୍‌ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଆସିଥିବା ନିନ୍ଦା ପ୍ରସ୍ତାବକୁ ‘ଭିଟୋ’ ପ୍ରୟୋଗ କରି ଅଟକାଇ ଦେଇଛି। ସୁରକ୍ଷା ପରିଷଦର ୧୫ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୧୧ ସଭ୍ୟ ରୁଷ୍‌ ବିରୋଧରେ ଭୋଟ୍‌ ଦେଇଥିବା ବେଳେ ଭାରତ, ୟୁଏଇ ଏବଂ ଚୀନ୍‌ ଏହି ଭୋଟିଂ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିନାହାନ୍ତି।

ରୁଷ୍‌ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ରହିଛି ଏବଂ ନିଜ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବକୁ ଖାରଜ କରିବା ପାଇଁ ଏହା ‘ଭିଟୋ’ କ୍ଷମତା ପ୍ରୟୋଗ କରିଛି। ରୁଷ୍‌ ‘ଭିଟୋ’ ପ୍ରୟୋଗ କରିବା ମାତ୍ରେ ଏହି ପ୍ରସ୍ତାବ ଆଉ ଗୃହୀତ ହୋଇପାରି ନାହିଁ। ରୁଷ୍‌ ଏଭଳି ପ୍ରସ୍ତାବ ବିରୋଧରେ ଭିଟୋ ପ୍ରୟୋଗ କରିବ ବୋଲି ଜାଣି ସୁଦ୍ଧା ଆମେରିକା ଓ ଅନ୍ୟ କେତେକ ରାଷ୍ଟ୍ର ଏଭଳି ନିନ୍ଦା ପ୍ରସ୍ତାବ ଆଣିବାକୁ ଚାହିଥିଲେ। ରୁଷ୍‌ ଏହା ଦ୍ବାରା ଅନ୍ତର୍ଜାତୀୟସ୍ତରରେ ଘୋର ଅଡ଼ୁଆରେ ପଡ଼ିବ ବୋଲି ଆମେରିକା ଯୋଜନା କରିଥିଲା। ସୁରକ୍ଷା ପରିଷଦରେ ସଦସ୍ୟମାନେ ଦାବି କରିଥିଲେ ଯେ ରୁଷ୍‌ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ଏବଂ ଏହା ସମସ୍ତ ସୈନ୍ୟ ପ୍ରତ୍ୟାହାର କରୁ। ସୁରକ୍ଷା ପରିଷଦରେ ଏହି ପ୍ରସ୍ତାବ ବିଫଳ ହେବାପରେ ଆମେରିକା ଏବଂ ନାଟୋ ଏବେ ଜାତସଂଘ ସାଧାରଣ ପରିଷଦରେ ଏଭଳି ପ୍ରସ୍ତାବ ରଖିବା ପାଇଁ ପ୍ରୟାସ କରିବେ। ତେବେ ଜାତିସଂଘର ୧୯୩ ସଦସ୍ୟ ବିଶିଷ୍ଟ ମହାସଭାରେ ଭୋଟ୍‌ ବ୍ୟବସ୍ଥା ନାହିଁ।

ଜାତିସଂଘ ସୁରକ୍ଷା ପରିଷଦ ଭୋଟ୍‌ରେ ସାମିଲ ନହୋଇ ଭାରତ ପରିପକ୍ବ କୂଟନୀତିର ପରିଚୟ ଦେଇଛି। ଘନିଷ୍ଠ ବନ୍ଧୁ ରୁଷ୍‌ ଏବଂ ସାମରିକ ସହଯୋଗୀ ଆମେରିକା ମଧ୍ୟରୁ କାହାକୁ ଜଣକୁ ବାଛିବା ବଦଳରେ ମତଦାନରୁ ବିରତ ରହି ଭାରତ ଗୋଟିଏ ତୀରରେ ଦୁଇଟି ପକ୍ଷୀ ଶିକାର କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି କହିଛନ୍ତି ଯେ କୂଟନୈତିକ ପ୍ରୟାସ ପାଇଁ ସମସ୍ତ ପକ୍ଷ ଉଦ୍ୟମ କରିବାର ଥିଲା। କିନ୍ତୁ ଏହା ହୋଇନଥିବାରୁ ପରିସ୍ଥିତି ଅତି ଜଟିଳ ହୋଇଛି। କୂଟନୀତିର ରାସ୍ତାକୁ ପରିତ୍ୟାଗ କରାଯାଇଥିବାରୁ ଭାରତ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଉପରେ ମତଦାନରେ ସାମିଲ ନହେବାକୁ ନିଷ୍ପତ୍ତି ନେଲା ବୋଲି ସେ କହିଛନ୍ତି।

ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଶନିବାର ଦିନ ପ୍ରଧ‌ାନମନ୍ତ୍ରୀ ମୋଦୀଙ୍କୁ‌ ଫୋନ୍ କରି କୂଟନୈତିକ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର