ନୂଆଦିଲ୍ଲୀ : ୟୁକ୍ରେନ୍‌ ଉପ‌ରେ ରୁଷ୍‌ର ଆକ୍ରମଣକୁ ବିରୋଧ କରି ଆମେରିକା ଏବଂ ଆଲବାନିଆ ଦ୍ୱାରା ରୁଷ୍‌ ବିରୋଧରେ ଅଣାଯାଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଭୋଟ୍‌ ଅଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତି ପାଇଁ ଜାତିସଂଘରେ ସ୍ଥାୟୀ ସଦସ୍ୟ ରୁଷ୍‌କୁ ଏକଘରିଆ କରିବାପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଆରମ୍ଭ କରିଦେଇଛି। ଆମେରିକା ଦ୍ୱାରା ଅଣାଯାଇଥିବା ଏହି ଚିଠା ପ୍ରସ୍ତାବରେ ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣକୁ କଡ଼ା ବିରୋଧ କରାଯାଇଛି ଏବଂ ରୁଷ୍‌ ବିନା ସର୍ତ୍ତରେ ସମ୍ପୂର୍ଣ୍ଣ ଭାବେ ୟୁକ୍ରେନ୍‌ରୁ ଏହାର ସୈନ୍ୟ ପ୍ରତ୍ୟାହାର କରିବାପାଇଁ କୁହାଯାଇଛି।

Advertisment

ତେବେ ଜାତିସଂଘରେ ଏହି ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ସମୟରେ ଉଭୟ ଆମେରିକା ଏବଂ ରୁଷ୍‌ ଭାରତର ସମର୍ଥନ ଚାହିଛନ୍ତି। ଭାରତର ପଦକ୍ଷେପ ଉପରେ ସାରା ବିଶ୍ବର ନଜର ରହିଛି। ଆମେରିକା ଭାରତର ଘନିଷ୍ଟ କୂ‌ଟନୈତିକ ବନ୍ଧୁ କିନ୍ତୁ ରୁଷ୍‌ ଭାରତର ସର୍ବକାଳୀନ ବନ୍ଧୁ। ତେଣୁ ଏହି କ୍ଷେତ୍ରରେ ଭାରତ କାହାକୁ ସମର୍ଥନ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ରୁଷ୍‌ ମଧ୍ୟ ଭାରତଠାରୁ ସହଯୋଗ ଚାହିଛି। ନୂଆଦିଲ୍ଲୀ ସ୍ଥିତ ରୁଷ୍‌ର ବରିଷ୍ଠତମ ରୁଷ୍‌ କୂଟନୀତିଜ୍ଞ ବାବୁସ୍‌କିନ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦରେ ଚିଠା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ସମୟରେ ଆମେ ଭାରତର ସମର୍ଥନ ଚାହୁଛୁ।

ଭାରତର ବିଦେଶ ସଚିବ ହର୍ଷ ଶ୍ରୀଙ୍ଗଳା କହିଛନ୍ତି, ୟୁଏନ୍‌ଏସସି ଚିଠା ପ୍ରସ୍ତାବକୁ ଆମେ ଭଲଭାବେ ଦେଖିଛୁ। ଏଥିରେ ଆହୁରି ଅନେକ ପରିବର୍ତ୍ତନ ଆସିବ। ତେବେ ଆମେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପୂର୍ବରୁ ପ୍ରସ୍ତାବରେ ଆସିବାକୁ ଥିବାପରିବର୍ତ୍ତନକୁ ଭଲଭାବେ ଦେଖିବୁ ବୋଲି ଶ୍ରୀଙ୍ଗଳା କହିଛନ୍ତି। ଇତି ମଧ୍ୟରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଏହି ପ୍ରସଙ୍ଗରେ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ରୁଷ୍‌ ସମର୍ଥନରେ ୧୧ଟି ରାଷ୍ଟ୍ର ଭୋଟ୍‌ ଦେବେ ବୋଲି କୁହାଯାଉଛି।