ନୂଆଦିଲ୍ଲୀ: ହିମାଳୟର ପ୍ରକୃତିକୁ ନବୁଝି ସେଠାରେ ଅବୈଜ୍ଞାନିକ ଏବଂ ଦୂରଦୃଷ୍ଟିବିହୀନ ନିର୍ମାଣ କାର୍ଯ୍ୟ ଚାଲିଛି। ଉତ୍ତରକାଶୀର ସିଲ୍କୟାରାଠାରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ଏହାର ଏକ ଉଦାହରଣ। ହିମାଳୟର ଭୌଗୋଳିକ ଗଠନର କ୍ଷଣଭଙ୍ଗୁରତା ଏବଂ ଧାରଣ କ୍ଷମତାକୁ ଅଣଦେଖା କରାଯାଇ ନିର୍ମାଣ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ହେବାକୁ ଥିବା ନିବେଶ ଏବଂ ସୁରକ୍ଷାମୂଳକ ପଦକ୍ଷେପକୁ ଧ୍ୟାନ ନଦେଇ ହିମାଳୟ ଅଞ୍ଚଳରେ ଆର୍ଥିକ ଲାଭ ଏବଂ ସାମାଜିକ-ରାଜନୈତିକ ଦିଗରୁ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଦୁଇଜଣ ଭୂତତ୍ତ୍ବବିଦ୍ କହିଛନ୍ତି। ଭୌଗୋଳିକ ସ୍ଥିତିକୁ ଆଦୌ ଧ୍ୟାନ ନଦେଇ ଅନୁପଯୁକ୍ତ ସ୍ଥାନରେ ଘର ଏବଂ ରାସ୍ତା ନିର୍ମାଣ ସମେତ ମନଇଚ୍ଛା ସହର ସଂପ୍ରସାରଣକୁ ଅନୁମତି ଦେଇ ବଡ଼ ତ୍ରୁଟି କରୁଛୁ ବୋଲି ଭୂତତ୍ତ୍ବବିଦ୍ ନରେଶ ପନ୍ତ ଏବଂ ଏଚଏସ ସାଇନି ଇଣ୍ଡିଆନ୍ ଏକାମେଡି ଅଫ ସାଇନସେସ୍ ପକ୍ଷରୁ ପ୍ରକାଶିତ କରେଣ୍ଟ୍ ସାଇନ୍ସ ଶୀର୍ଷକ ଜର୍ଣ୍ଣାଲରେ ମତ ରଖିଛନ୍ତି। ଏପରିକି ଭୂମିର କ୍ଷମତା ଏବଂ ବିପଦକୁ ଦେଖି ଆମେ ନିର୍ମାଣ କାର୍ଯ୍ୟର ମାନ ରଖିବାରେ ସଫଳ ହୋଇନାହୁ ବୋଲି ଗତ ନଭେମ୍ବର ୧୨ରେ ସିଲ୍କୟାରା ସୁଡ଼ଙ୍ଗ ଭୁଶୁଡ଼ିବା ପୂର୍ବରୁ ସେମାନେ ଲେଖିଥିବା ନିବନ୍ଧରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬ରେ ୮୮୯ କିମି ସଡ଼କ ଚଉଡ଼ା ପ୍ରକଳ୍ପ ଆରମ୍ଭ ହୋଇଥିଲା। ଚାରି ଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ଉନ୍ନତ ଯୋଗାଯୋଗ ଲାଗି ଏହା ଆରମ୍ଭ କରାଯାଇଛି। କିନ୍ତୁ ଏହାକୁ ଯେଉଁ ଉପାୟରେ କାର୍ଯ୍ୟକାରୀ କରାଯାଇଛି ତାହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଉକ୍ତ ପ୍ରକଳ୍ପର ପରିବେଶଗତ ଓ ଅନ୍ୟାନ୍ୟ ପରିଣାମକୁ ସର୍ବନିମ୍ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦ୍ବାରା ଏକ ଉଚ୍ଚକ୍ଷମତାସଂପନ୍ନ କମିଟି ଗଠନ ହୋଇଥିଲା। କମିଟି ଜାଣିବାକୁ ପାଇଥିଲା ଯେ ଅବୈଜ୍ଞାନିକ ଓ ଅଣଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ହିମାଳୟର ପରିସଂସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ୨୦୨୦ ମସିହାରେ ଉକ୍ତ କମିଟି ରିପୋର୍ଟ ଦାଖଲ କରିଥିଲା। ସେଥିରେ ସତର୍କ କରାଇ ଦିଆଯାଇଥିଲା ଯେ ସ୍ଲୋପ୍ ଭଲନରେବିଲିଟିର ବିଶ୍ଳେଷଣ ହୋଇ ନଥିଲା କିମ୍ବା ଏହାର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନଥିଲା। ଏଥିଯୋଗୁ ଭୂସ୍ଖଳନ ବିପଦ ବଢ଼ିଥିଲା। ତେବେ ଉଚ୍ଚସ୍ତରୀୟ କମିଟି ଏହାର ରିପୋର୍ଟରେ ଆପତ୍ତି ଉଠାଇବାରୁ ସରକାର ୮୮୯ କିମିର ଚାରି ଧାମ ରାସ୍ତା ଚଉଡ଼ା କାର୍ଯ୍ୟକୁ ଭାଗ ଭାଗ କରି ୫୩ଟି ପ୍ରକଳ୍ପ କରି ଦେଇଥିଲେ। ସବୁ ପ୍ରକଳ୍ପର ଲମ୍ବ ୧୦୦ କିମିରୁ କମ୍ ଥିଲା। ଏଥିଯୋଗୁ ପରିବେଶ ପ୍ରଭାବ ଆକଳନକୁ ଏଡ଼ାଇ ଦିଆଯାଇ ପାରିଥିଲା।
ପ୍ରତି ୧ କିମିରେ ଗୋଟିଏ ଭୂସ୍ଖଳନ
ଆଇଆଇଟି ରୁର୍କି ଏବଂ ଜର୍ମାନୀର ପୋଟ୍ସଡ୍ୟାମ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା ଋଷିକେଶରୁ ଯୋଶୀମଠ ପର୍ଯ୍ୟନ୍ତ ୨୫୦ କିମି ଦୂରତା ମଧ୍ୟରେ ଭୂସ୍ଖଳନକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ୨୦୨୨ ସେପ୍ଟେମ୍ବରରୁ ଅକ୍ଟୋବରରେ ଉକ୍ତ ଅନୁଧ୍ୟାନ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ୨୪୭ କିମି ମଧ୍ୟରେ ୩୦୯ଟି ଭୂସ୍ଖଳନ ହୋଇଥିଲା ଅର୍ଥାତ ପ୍ରତି କିଲୋମିଟରରେ ଗୋଟିଏ ଭୂସ୍ଖଳନ ହୋଇଥିଲା।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବ ବିଭାଗର ପୂର୍ବତନ ପ୍ରଫେସର ପନ୍ତଙ୍କ କହିବାନୁଯାୟୀ, ହିମାଳୟରେ ସଡ଼କ ଓ ଅନ୍ୟ ନିର୍ମାଣ ପ୍ରକଳ୍ପକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ପ୍ରକଳ୍ପ ଗୁଡ଼ିକ ବିପଦକୁ ସର୍ବନିମ୍ନ କିଭଳି କରାଯାଇ ପାରିବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ହିମାଳୟ ପାର୍ବତ୍ୟାଞ୍ଚଳରେ ହିମାଚଳ ପ୍ରଦେଶରେ ସତଲେଜ୍ ନଦୀ ଉପରେ ଭାକ୍ରା ଡ୍ୟାମ ଏବଂ ଭାଗୀରଥି ଉପରେ ତେହରି ଡ୍ୟାମ ବହୁବର୍ଷ ହେଲା କାର୍ଯ୍ୟକ୍ଷମ ଅଛି। ଏସବୁ ପ୍ରକଳ୍ପ ସେହି ଅଞ୍ଚଳର ଭୂତତ୍ତ୍ବକୁ ଆବଶ୍ୟକ ଧ୍ୟାନ ଦେଇଛି। ବର୍ତ୍ତମାନ ଚାଲିଥିବା ସବୁ ପ୍ରକାର ଉଚ୍ଚାଭିଳାଷୀ ପ୍ରକଳ୍ପରେ ସେସବୁ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଇଆଇଏସ୍ ବାଙ୍ଗାଲୋରର ପୂର୍ବତନ ପ୍ରଫେସର ତଥା ଗ୍ଲେସିଓଲୋଜିଷ୍ଟ୍ ଅସୀମ ସତ୍ତାର କହନ୍ତି ଉଚ୍ଚ ପାର୍ବତ୍ୟାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ କରିବା ସମୟରେ ଭୂସ୍ଖଳନ, ହିମବାହ ଏବଂ ହିମ ହ୍ରଦ ବିସ୍ଫୋରଣରୁ ଅଚାନକ ବନ୍ୟା ଆଦି ଘଟଣାର ବିଶ୍ଳେଷଣ ହେବା ଆବଶ୍ୟକ।
ଶ୍ରମିକଙ୍କ ସହ କଥାହେଲେ ମୋଦୀ
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କୟାରା ସୁଡ଼ଙ୍ଗ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିବାରୁ ପୂରା ଦେଶ ଖୁସି ମନାଉଛି। ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଧାର ହୋଇଥିବା କିଛି ଶ୍ରମିକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ସୁଡ଼ଙ୍ଗ ନିକଟରେ ବୌଖନାଗଙ୍କ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଡ଼ଙ୍ଗ ସ୍ଥଳକୁ ଗସ୍ତ କରିଥିବା କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି, ଉଦ୍ଧାର ଅଭିଯାନ ପାଇଁ ସମସ୍ତ ସମ୍ବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତାରେ ଉପଲବ୍ଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଥିବାରୁ ଆମେ ଆଶ୍ବସ୍ତ ହୋଇଛୁ। ପ୍ରଧାନମନ୍ତ୍ରୀ ନିର୍ବାଚନ ବ୍ୟସ୍ତତା ଭିତରେ ବି ଉଦ୍ଧାର କାର୍ଯ୍ୟ ସଂପର୍କରେ ଟିକିନିଖି ଖବର ରଖୁଥିଲେ। ରୢାଟ ମାଇନର୍ସମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ଢେର୍ ପ୍ରଶଂସା କରିଛନ୍ତି।
ବୌଖନାଗଙ୍କୁ ସଂପର୍କୀୟଙ୍କ ପ୍ରାର୍ଥନା
ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ଜୀବନକୁ ବାଜି ଲଗାଇ କାମ କରୁଥିବାବେଳେ ବାହାରେ ଶ୍ରମିକଙ୍କ ସଂପର୍କୀୟମାନେ ଭଗବାନଙ୍କୁ ଆତୁର ଭାବେ ପ୍ରାର୍ଥନା କରିଥିଲେ। ପାହାଡ଼ ଉପରେ ବୌଖନାଗଙ୍କ ଅସ୍ଥାୟୀ ମନ୍ଦିର ରହିଛି।