ସିରିୟା ସଙ୍କଟ: ଜାତିସଂଘର ଜରୁରୀ ବୈଠକ

ଓ୍ଵାସିଂଟନ: ସିରିୟାରେ ରାସାୟନିକ ଆକ୍ରମଣକୁ ନେଇ ଆମେରିକା ଓ ରୁଷ୍‌ ମଧ୍ୟରେ ଦେଖାଦେଇଥିବା ବିବାଦ ଭୟଙ୍କର ରୂପ ନେଇଥିବାରୁ ଆଜି ଏ ବାବଦରେ ଜାତିସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଜାତିସଂଘ ଦୁଇ ମହାଶକ୍ତି ରୁଷ୍‌ ଏବଂ ଆମେରିକାକୁ ଉତ୍ତେଜନା ହ୍ରାସ କରିବା ଦିଗରେ ତତ୍କାଳ ପଦକ୍ଷେପ ନେବାକୁ ଚେତାଇ ଦେଇଛି। ମାମଲା ହାତରୁ ଖସିବାକୁ ନଦେଇ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଜାତିସଂଘ ଗୁରୁତ୍ୱାରୋପ କରିଛି। ଜାତିସଂଘ ନିରାପତ୍ତା ପରିଷଦର ଏକ ରୁଦ୍ଧଦ୍ୱାର ବୈଠକରେ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଏଥିନେଇ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଆଚରଣ କରିବାକୁ ଜାତିସଂଘ ମହାସଚିବ ଚେତାଇ ଦେଇଛନ୍ତି। ସିରିୟାର ଡୁମା ସହରରେ ଯୁଦ୍ଧ ବିମାନରୁ ରାସାୟନିକ ଆକ୍ରମଣ ପରେ ଏହାର ଜବାବ ଦେବାକୁ ଆମେରିକା ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛି। ସିରିୟା ଓ ରୁଷ୍‌ ସେନା ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଗତକାଲି ଘୋଷଣା କରିବା ପରେ ଏହାକୁ ନେଇ ବଡ଼ ଧରଣର ଯୁଦ୍ଧ ଆଶଙ୍କା ଦେଖାଦେଇଛି । ଯେ କୌଣସି ମୁହୂର୍ତ୍ତରେ ଆମେରିକା ଆକ୍ରମଣ କରିବା ସମ୍ଭାବନା ଥିବାରୁ ରୁଷ୍‌ ମଧ୍ୟ ସିରିୟାରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଯଥାସମ୍ଭବ ସୁଦୃଢ଼ କରିବାରେ ଲାଗିଛି । ଆମେରିକାର ପ୍ରତିରକ୍ଷା ସଚିବ ଜେମ୍‌୍‌ସ ମାଟିସ୍‌ ଏବଂ ସିଆଇଏ ନିର୍ଦ୍ଦେଶକ ମାଇକ୍‌ ପୋମ୍ପିଓ ଆକ୍ରମଣ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର