ଚୀନ ଦ୍ୱାରା ୧୯୫୯ରେ ନିର୍ଦ୍ଧାରିତ ଏଲଏସିକୁ ଭାରତ ସ୍ୱୀକାର କରେ ନାହିଁ : ନୂଆଦିଲ୍ଲୀ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ଆଜି ଆହୁରି ବଢାଇଦେଇଛି ଚୀନ । ଚୀନ ପକ୍ଷରୁ ଆଜି କୁହାଯାଇଛି ଯେ ଭାରତ ସରକାରଙ୍କ ଦ୍ୱାରା ନବଗଠିତ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ସ୍ୱୀକାର କରେ ନାହିଁ ।

ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ୧୯୫୯ରେ ଚୀନର ତତ୍କାଳୀନ ରାଷ୍ଟ୍ରପତି  ଜୁ ଏନଲାଇ ଓ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମଧ୍ୟରେ ସ୍ଥିରୀକୃତ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଚୀନ ସରକାର ମାନ୍ୟତା ଦିଅନ୍ତି ।

କିନ୍ତୁ ଚୀନର ଏହି ବୟାନର କଡ଼ା ଜବାବ ଦେଇଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଚୀନ ଦ୍ୱାରା ୧୯୫୯ରେ ଏକ ପାଖିଆଭାବେ ନିର୍ଦ୍ଧାରିତ ଏଲଏସିର ସ୍ଥିତିକୁ ସ୍ୱୀକାର କରେ ନାହିଁ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଚୀନ ଏପରି ଦାବି କରି ୧୯୯୩, ୧୯୯୬ ଓ ୨୦୦୫ରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ କରୁଛି ।

୧୯୯୩ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣାରେ ସ୍ଥିର ହୋଇଥିଲା କି ଦୁଇପକ୍ଷ ଏଲଏସି ଓ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବେ ଓ ମତଭେଦକୁ ଆଲୋଚନା ମାଧ୍ୟମରେ ଦୂର କରିବେ । ସେହିପରି ୧୯୯୫ ଚୁକ୍ତି ଅନୁସାରେ ଦୁଇ ଦେଶର ସେନା ପରସ୍ପର ଉପରେ ଭରସା ବୃଦ୍ଧି କରିବା ଭଳି ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଅନ୍ୟପକ୍ଷରେ ୨୦୦୫ରେ ହୋଇଥିବା ଚୁକ୍ତି ଅନୁସାରେ ଆଲୋଚନା ମଧ୍ୟମରେ ସୀମା ବିବାଦର ସମାଧାନ କରାଯିବା ନେଇ ଦୁଇ ଦେଶ ସମ୍ମତ ହୋଇଥିଲେ।

ସମ୍ବନ୍ଧିତ ଖବର