ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡ୍ରେ ଯୋଗ ଦେଉଥିବା ଲୋକେ ସମ୍ପୂର୍ଣ୍ଣ ରୂପେ କୋଭିଡ୍ ନିରୋଧୀ ଟିକା ନେଇଥିବା ଉଚିତ ଏବଂ ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୁଲିସ ଜାରି କରିଥିବା ନୂଆ ଗାଇଡ୍ଲାଇନ୍ରେ ଉଲ୍ଲେଖ ଅଛି।
ପୁଲିସ ଆହୁରି ମଧ୍ୟ କହିଛି ଯେ, ଜାନୁଆରି ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଲୋକେ ଫେସ୍ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଭଳି କୋଭିଡ୍-ସଂଯମ ଆଚରଣ ମାନିବା ଉଚିତ।
ଟୁଇଟ୍ କରି ଦିଲ୍ଲୀ ପୁଲିସ ଲେଖିଛି, କରୋନାଭାଇରସ୍-ନିରୋଧୀ ଉଭୟ ଡୋଜ୍ ଟିକା ନେଇଥିବା ଅତ୍ୟାବଶ୍ୟକ। ଦର୍ଶକମାନେ ସେମାନଙ୍କର ଟିକା ସାର୍ଟିଫିକେଟ୍ ଧରି ଆସିବାକୁ ଅନୁରୋଧ।
/sambad/media/post_attachments/wp-content/uploads/2022/01/RDP.jpg)
ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍ ବ୍ଲକ୍ ଖୋଲିଯିବ ଏବଂ ସେହି ଅନୁସାରେ ଆସି ପହଞ୍ଚିବାକୁ ମଧ୍ୟ ଦିଲ୍ଲୀ ପୁଲିସ ସେମାନଙ୍କୁ ଅନୁରୋଧ କରିଛି। ପାର୍କିଙ୍ଗ୍ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍ପୁଲ୍ ଅଥବା ଟ୍ୟାକ୍ସି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ପାର୍କିଙ୍ଗ୍ ଅଞ୍ଚଳରେ ‘ରିମୋଟ୍-କଣ୍ଟ୍ରୋଲ୍ଡ୍ କାର୍ ଲକ୍ କି’ ଡିପୋଜିଟ୍ କରିବା ବ୍ୟବସ୍ଥା କରାଯାଇଛି।
ଦର୍ଶମାନେ ସାଥିରେ ବୈଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।
ରବିବାର ଦିନ ଦିଲ୍ଲୀ ପୁଲିସ କମିସନର୍ ରାକେଶ ଅସ୍ଥାନା କହିଥିଲେ ଯେ, ଜାତୀୟ ରାଜଧାନୀରେ ସୁରକ୍ଷା ଡିୟୁଟିରେ ୨୭,୦୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଦୃଷ୍ଟିରୁ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ତୀବ୍ରତର କରାଯାଇଛି।