ଭାରତର ଅଧିକାଂଶ ସାଂସଦଙ୍କ ନାଁରେ ଅପରାଧିକ ମାମଲା : ସିଂଗାପୁର ପ୍ରଧାନମନ୍ତ୍ରୀ

ତୀବ୍ର ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ସିଂଗାପୁର ସଂସଦରେ ସେଠାକାର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଦେଇଥିବା ଏକ ବୟାନ ବିବାଦ ସୃଷ୍ଟି କରିଛି । ଏହି ବୟାନର ପ୍ରତିବାଦ କରିବାକୁ ଯାଇ ଭାରତ ସରକାର ସିଂଗାପୁର ରାଷ୍ଟ୍ରଦୂତଙ୍କୁ ଡକାଇ ଆପତ୍ତି ଜଣାଇଛନ୍ତି । ଭାରତୀୟ ସାଂସଦମାନଙ୍କୁ ଅପରାଧୀ କହିବାକୁ ନେଇ ଭାରତ ତୀବ୍ର ଆପତ୍ତି ଉଠାଇଛି ।

ସିଂଗାପୁର ସଂସଦର ଏକ ବିତର୍କରେ ଭାଗ ନେଇ ଲୁଙ୍ଗ କହିଥିଲେ ଯେ ସ୍ବାଧୀନତା ପାଇଥିବା ଅଧିକାଂଶ ଦେଶ ଆରମ୍ଭରୁ ଉଚ୍ଚ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଆରମ୍ଭ ହୋଇଥାନ୍ତି । ସ୍ବାଧୀନତା ସଂଗ୍ରାମ ଲଢିଥିବା ନେତାମାନେ ଉଚ୍ଚ ମୂଲ୍ୟବୋଧ ବିଶିଷ୍ଟ ହୋଇଥାନ୍ତି ।  ସେମାନଙ୍କ ମଧ୍ୟରେ ରହିଛନ୍ତି ଡେଭିଡ୍ ବେନ-ଗୁରିଅନ୍ସ ଓ ଜବାହର ଲାଲ ନେହେରୁ ଇତ୍ୟାଦି । କିନ୍ତୁ ପରେ ରାଜନୀତିର ଧାରା ଓ ରାଜନୀତିଜ୍ଞଙ୍କ ପ୍ରତି ଲୋକଙ୍କ ସମ୍ମାନ ହ୍ରାସ ପାଏ ଓ ଲୋକମାନେ ଭାବନ୍ତି ଏହା ହିଁ ସ୍ବାଭାବିକ ସ୍ଥିତି ଓ ଏହାଠାରୁ ଅଧିକ କିଛି ଆଶା କରିବା ବୃଥା । ଏକ ଉଦାହରଣ ଦେଇ ସେ କହିଥିଲେ, ଜବାହରଲାଲ ନେହେରୁଙ୍କ ଦେଶ ଭାରତର ଲୋକସଭାରେ ଏବେ ଅଧାରୁ ଅଧିକ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି, ଯଦିଓ ଏଗୁଡିକ ମଧ୍ୟରୁ କେତେକ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥାଇପାରେ ।

ସମ୍ବନ୍ଧିତ ଖବର