ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଚମ୍ବଲ ନଦୀ କୂଳରେ ଜଣେ ବାଳକ ନିଜ ଜୀବନ ସହିତ ଖେଳି ତାର ବାପାଙ୍କ ଜୀବନ ବଞ୍ଚାଇଥିବା ଘଟଣା ସାମ୍ନାକୁ ଆସିଛି। 

Advertisment

ସୂଚନାଯୋଗ୍ୟ, ଥାନା ବସୌନି ଅଞ୍ଚଳ ଅନ୍ତର୍ଗତ ଝରଣାପୁରା ଗ୍ରାମର ନିବାସୀ ଭଗବାନ ସିଂହଙ୍କ ପୁଅ ବଣ୍ଟୁ ଓରଫ ବୀରଭାନ (୩୬) ଶୁକ୍ରବାର ସକାଳେ ଛେଳି ଏବଂ ଗାଈ ଚରାଇବାକୁ ଚମ୍ବଲ ନଦୀ କୂଳକୁ ଯାଇଥିଲେ। 
ଗାଈ ଓ ଛେଳି ଚରୁଥିବା ବେଳେ ବଣ୍ଟୁ ନଦୀ କୂଳରେ ବିଶ୍ରାମ ନେଉନେଉ ଶୋଇ ପଡ଼ିଥିଲେ। ଏତିକିବେଳେ ନଦୀରୁ ଏକ କୁମ୍ଭୀର ଆସି ତାଙ୍କ ଗୋଡ଼କୁ ଆକ୍ରମଣ କରି ନଦୀ ଆଡ଼କୁ ଟାଣି ନେବାକୁ ଲାଗିଥିଲା।

ସୌଭାଗ୍ୟବଶତଃ ଏହି ସମୟରେ ବଣ୍ଟୁଙ୍କ ୧୦ ବର୍ଷର ପୁଅ ଅଜୟ ପାଖରେ ଥିଲା। ବାପାଙ୍କୁ କୁମ୍ଭୀର ଟାଣି ନେଉଥିବା ଦେଖି ସେ ଆଦୌ ଭୟଭୀତ ନହୋଇ ନିଜେ ଧୌର୍ଯ୍ୟ ଧରିବା ସହିତ ତା଼ର ବାପାଙ୍କୁ ବି ଧୌର୍ଯ୍ୟ ଧରିବାକୁ କହି କହିଥିଲା, ‘ବାପା ବ୍ୟସ୍ତ ହୁଏ ନାହିଁ ତୁମ ପୁଅ ତୁମ ପାଖରେ ଅଛି।’

ଅଜୟ ଉପସ୍ଥିତ ବୁଦ୍ଧି ଖଟାଇ ହାତରେ ଧରିଥିବା ଏକ ବାଡ଼ି ସାହାଯ୍ୟରେ କୁମ୍ଭୀର ମୁହଁକୁ ପାହାର ପାକାଇଥିଲା। 
ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ପୁଅ କୁମ୍ଭୀର କବଳରୁ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲା। ଅଜୟ ଓ ବଣ୍ଟୁଙ୍କ ଚିତ୍କାର ଶୁଣି ପାଖରେ ଥିବା ଚାଷ ଜମିରେ କାମ କରୁଥିବା ଚାଷୀମାନେ ମଧ୍ୟ ବାଡ଼ି ଧରି ଘଟଣାସ୍ଥଳକୁ ଦୌଡ଼ି ଆସି କୁମ୍ଭୀରକୁ ନଦୀ ଭିତରକୁ ଘଉଡ଼ାଇ ଦେଇଥିଲେ।

କୁମ୍ଭୀର ଆକ୍ରମଣରେ ବାଣ୍ଟୁଙ୍କ ଗୋଡ ଗୁରୁତର ଭାବେ ଆହତ ହୋଇଥିଲା। ସୂଚନା ପାଇ ପରିବାର ସଦସ୍ୟ ବାଣ୍ଟୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ବାଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତରମାନେ ତାଙ୍କୁ ଆଗ୍ରାକୁ ସ୍ଥାନାନ୍ତରିତ କରି ଦେଇଥିଲେ। ଚିକିତ୍ସା ପରେ ବଣ୍ଟୁଙ୍କ ଅବସ୍ଥାରେ ସୁଧାର ଆସୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।