ଲଖିମପୁର ଖେରି  ମାମଲା : ତଦନ୍ତର ତଦାରଖ ନିମନ୍ତେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିବେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ : ଲଖିମପୁର ଖେରି ଘଟଣାର ଚାଲିଥିବା ତଦନ୍ତର ନିରପେକ୍ଷ ତଦାରଖ ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ରାଜି ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶ ବାହାରର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନାମ ସୁପାରିଶ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଥିଲେ ବି ତାହାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି । ଏହା ପରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ତଦନ୍ତର ତଦାରଖ କରାଇବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ପଞ୍ଜାବ ହରିୟାଣା ହାଇକୋର୍ଟର  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରାକେସ କୁମାର ଜୈନ ଓ ଜଷ୍ଟିସ ରଂଜିତ ସିଂଙ୍କ ନାମ ସୁପ୍ରିମକୋର୍ଟ ପ୍ରସ୍ତାବ ରଖିଥିଲେ ।

ଏହା ସହିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଟିଏଫ)ରେ ଆଉ କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅକ୍ଟୋବର ୩ରେ ଉତ୍ତରପ୍ରଦେଶର ଲଖିମପୁର ଖେରିଠାରେ ହୋଇଥିବା ହିଂସାରେ ୪ ଜଣ କୃଷକ ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କାର ଚଢାଇ କୃଷକମାନଙ୍କୁ ହତ୍ୟା କରିଥିବା କୃଷକ ସଂଗଠନଗୁଡ଼ିକ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ କାରର ଚାଳକ ପ୍ରାଣ ହରାଇଥିଲା । କିନ୍ତୁ ଏହି ଅଭିଯୋଗକୁ ଆଶିଷ ମିଶ୍ର ଅସ୍ବୀକାର କରୁଛନ୍ତି ।

 

ସମ୍ବନ୍ଧିତ ଖବର