ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି) ବିଧାନସଭାର ୭ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି। ଗଣତିର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୪ଟି ଆସନରେ ଆଗୁଆ ରହିଥିଲା ବେଳେ ଅନ୍ୟ ୩ଟି ଆସନରେ ପଛୁଆ ରହିଛି। ଏହି ଉପ-ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଇଁ ଲୋକପ୍ରିୟତାର ପରୀକ୍ଷଣ ବୋଲି କୁହାଯାଉଛି। କାରଣ, ଦଳ ୨୦୧୭ ନିର୍ବାଚନରେ ସଂପ୍ରତି ଉପନିର୍ବାଚନ ହେଉଥିବା ୭ଟି ଆସନ ମଧ୍ୟରୁ ୬ଟିରେ ବିଜେପି ଜିତିଥିବା ବେଳେ ଗୋଟିଏ ଆସନରେ ସମଜବାଦୀ ପାର୍ଟି (ଏସ୍‌ପି) ଜିତିଥିଲା।

Advertisment

ଏବେ ଉପ-ନିର୍ବାଚନରେ ଏହି ୭ଟି ଆସନ ମଧ୍ୟରୁ ବିଜେପି ୪ଟିିରେ ଅଗ୍ରଣୀ ଥିବାବେଳେ ସମାଜବାଦୀ ପାର୍ଟି (ଏସପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ଗୋଟିଏ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ବିଜେପିର ଉଷା ସିରୋହି ବୁଲନ୍ଦଶାହରରେ ଅଗ୍ରଣୀ ଥିବାବେଳେ ତୁଣ୍ଡଲାରୁ ପ୍ରେମ ପାଲ ଧଙ୍ଗର, ବଙ୍ଗରମାଉରୁ ଶ୍ରୀକାନ୍ତ କାଟିୟାର ଏବଂ ଦେଓରିଆରୁ ସତ୍ୟ ପ୍ରକାଶ ମଣି ତ୍ରିପାଠୀ ଅଗ୍ରଣୀ ଅଛନ୍ତି। ଏସପିର ଜାଭେଦ ଅବ୍ଦାସ ନାଉଗୱାନ ସାଦତ ଏବଂ ଘାଟପୁରରୁ ବିଏସପିର କୁଲଦୀପ ଶଙ୍କରୱାର ଆଗୁଆ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଧନଞ୍ଜୟ ସିଂ ମାଲହାନି ଆସନରୁ ଆଗୁଆ ଅଛନ୍ତି।