ଅସଦାଚରଣର ଶିକାର ହୋଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଯୁବତୀଙ୍କୁ ଥାନା ଅଧିକାରୀ କଲେ ଅଶାଳୀନ ବ୍ୟବହାର; ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା ଭିଡ଼ିଓ ସାମନାକୁ ଆସିବା ପରେ ଅଡ଼ୁଆରେ ୟୁପି ପୁଲିସ୍‌

କାନପୁର (ଉତ୍ତରପ୍ରଦେଶ): ବିଚ୍‌ ରାସ୍ତା ଉପରେ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହେବାପରେ ଘଟଣା ସଂପର୍କରେ ଅଭିଯୋଗ ଆଗତ କରିବା ପାଇଁ ସଂପୃକ୍ତା ଯୁବତୀ ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ତାଙ୍କୁ ସହାନୁଭୂତି ପ୍ରଦର୍ଶନ କରିବା ପରିବର୍ତ୍ତେ ଓଲଟା ତାଙ୍କ ସହ ଅଶାଳୀନ ବ୍ୟବହାର କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପରପକ୍ଷରେ ଏହି ପୂରା ଘଟଣାର ଭିଡିଓ ଚିତ୍ରକୁ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଟୁଇଟରରେ ଛାଡ଼ିଦେବା ପରେ ଏହି ଭିଡିଓ ଏବେ ଭାଇରାଲ ହେବା ସହ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

ଏହି ଅଭାବନୀୟ ଘଟଣା ଘଟିଛି କାନପୁରର ନିଜାମାବାଦ ଥାନାରେ। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜଣେ ଯୁବତୀ ସ୍ପଷ୍ଟ ଦିବାଲୋକରେ ତାଙ୍କ ଘର ଠାରୁ ଅନତି ଦୂରରେ ଥିବା ଏକ ନଳକୂପରୁ ପାଣି ଆଣିବାକୁ ଯାଇଥିବା ବେଳେ ରାସ୍ତା କଡ଼ରେ ବସିଥିବା ତିନିଜଣ ଯୁବକ ତାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ। ପରେ, ଯୁବତୀ ଜଣକ ଘରକୁ ଫେରିବା ପରେ ନିଜ ବାପା ମା’ଙ୍କୁ ସଙ୍ଗରେ ଧରି ଘଟଣା ସଂପର୍କରେ ଅଭିଯୋଗ ଆଗତ କରିବା ପାଇଁ ନିଜାମାବାଦ ଥାନାକୁ ଯାଇଥିଲେ।

ହେଲେ, ଥାନାରେ ଥିବା ଅଧିକାରୀ ଜଣକ ଯୁବତୀଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ପୀଡ଼ିତା ଯୁବତୀଙ୍କୁ ଅତ୍ୟନ୍ତ କଟୁ ଭାଷାରେ ଭର୍ତ୍ସନା କରିଥିଲେ। ଥାନା ଅଧିକାରୀ ପୀଡ଼ିତାଙ୍କୁ କହିଥିଲେ, ‘ତୁମେ ତ ଯେତେ ଗହଣା ପିନ୍ଧି ଯେମିତି ଫେସନ୍‌ ଓ ଷ୍ଟାଇଲ୍‌ କରି ରାସ୍ତାରେ ଯାଉଛ ସେଥିରେ ତୁମେ ତ ଅସଦାଚରଣର ଶିକାର ହେବ! ତୁମେ ତ ଯେମିତି ହେଇଛ ସେଥିରେ ଅସଦାଚରଣର ଶିକାର ହେବ! ପୁଲିସ୍‌ କ’ଣ କରିବ?’ ଏତିକିରେ ଅଟକି ନଥିଲେ ଥାନା ଅଧିକାରୀ ପୀଡ଼ିତାଙ୍କ ସହ ଯାଇଥିବା ତାଙ୍କ ବାପା ମା’ଙ୍କୁ କହିଥିଲେ, ‘ଝିଅ ଉପରେ ନଜର ନରଖି ତାକୁ କାହିଁକି ରାସ୍ତା ଉପରକୁ ଛାଡ଼ୁଥିଲ? ଏବେ କୁଆଡ଼େ ଆସିଛ?’… ଇତ୍ୟାଦି ..ଇତ୍ୟାଦି..!

ତେବେ, ଥାନା ଅଧିକାରୀଙ୍କ ଏପ୍ରକାର ଆଚରଣ ସମ୍ବଳିତ ଭିଡ଼ିଓ ଭାଇରାଲ ହେବା ପରେ ଏବେ ଉତ୍ତରପ୍ରଦେଶ ପୁଲିସ୍‌ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର