ଉନ୍ନାଓ: ସ୍ତ୍ରୀ ଓ ପିଲାମାନେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ସହିତ ସେଲ୍ଫି ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର୍ କରିବାରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି।
ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ସେଲ୍ଫିରେ ସେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଗୋଟାଏ ଖଟ ଉପରେ ରଖାଯାଇଥିବା ଗଦାଏ ୫୦୦ ଟଙ୍କିଆ ‘ତାଡ଼ା’ (ଟଙ୍କା ବିଡ଼ା) ସହିତ ‘ପୋଜ୍’ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ସମ୍ପୃକ୍ତ ପୁଲିସ ଅଧିକାରୀ ହେଉଛନ୍ତି ବେହ୍ଟା ମୁଜାୱର୍ ଥାନାର ‘ଷ୍ଟେସନ୍-ଇନ୍-ଚାର୍ଜ’ ରମେଶ ଚନ୍ଦ୍ର ସାହାଣୀ। ତାଙ୍କ ଉପରିସ୍ଥ ପୁଲିସ ଅଧିକାରୀ ରମେଶଙ୍କୁ ସଙ୍ଗେ ସଙ୍ଗେ ପୋଲିସ୍ ଲାଇନ୍କୁ ବଦଳି କରିବା ସହିତ ଘଟଣାର ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି।
Image Courtesy of India Todayଫଟୋରେ ଦେଖାଯାଉଛି ରମେଶଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଖଟ ଉପରେ ୨୭ଟି ୫୦୦ ଟଙ୍କିଆ ‘ତାଡ଼ା’ ରଖି ‘ସେଲ୍ଫି’ ଉଠାଇଛନ୍ତି। ସମୁଦାୟ କେତେ ଟଙ୍କା ବୋଲି ପୁଲିସ କହି ନ ଥିଲେ ମଧ୍ୟ ସେ ସବୁ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଏ ସଂକ୍ରାନ୍ତରେ ସଫେଇ ଦେଇ ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ୨୦୨୧ ନଭେମ୍ବର ୧୪ ତାରିଖ ଦିନ ଏହି ଫଟୋ ଉଠାଯାଇଥିଲା। ସେତେବେଳେ ମୁଁ ଆମ ପିତୃଅର୍ଜିତ ଜମି ବିକ୍ରୟ କରିଥିଲି।
ଗଣମାଧ୍ୟମକୁ ଘଟଣାର ସବିଶେଷ ବିବରଣୀ ଦେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଜଣେ ‘ଷ୍ଟେସନ୍-ହାଉସ୍ ଅଫିସର୍’ଙ୍କ ଫଟୋ ଭାଇରାଲ୍ ହେଉଛି। ଏଥିରେ ଦେଖାଯାଉଛି ସେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଓ ପିଲାମାନେ ଟଙ୍କା ‘ତାଡ଼ା’ ରଖି ଫଟୋ ଉଠାଇଛନ୍ତି। ଆମେ ନିଜଆଡୁ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ପୋଲିସ୍ ଲାଇନ୍କୁ ବଦଳି କରିଛୁ। ଏ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/rs500.jpg)