ମହିଳାଙ୍କୁ ଏକା ଫେରୁଥିବା ଦେଖି କାମ କରୁଥିବା ହୋଟେଲରେ ଛାଡ଼ିଲା ପୁଲିସ, ଭିଡିଓରେ ଦେଖନ୍ତୁ ମ୍ୟାନେଜରଙ୍କୁ କିଭଳି ତାଗିଦ୍ କଲେ ପୁଲିସବାବୁ

ହରଦୋଇ(ଊତ୍ତରପ୍ରଦେଶ): ଆଜିକାଲି ଦେଶର ବିଭିନ୍ନ କୋଣରେ ଘଟୁଥିବା ଦୁଷ୍କର୍ମ ଘଟଣା ବିଷୟରେ ଜାଣି ମହିଳାମାନେ ଘରୁ ବାହାରିବାକୁ ଡ଼ରିଲେଣି। ରାସ୍ତାରେ ଏକା ଯାଉଥିବା ମହିଳାଙ୍କ ସହ କିଛି ବି ଘଟିପାରେ, ଏହି ଡ଼ର ଏବେ ସମସ୍ତଙ୍କ ମନରେ। ଖାସ୍ କରି ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣା ଏବେ ମହିଳାଙ୍କ ମନରେ ଥିବା ଡ଼ରକୁ ଆହୁରି ବଢ଼ାଇଛି। ପରିସ୍ଥିତିକୁ ଦେଖି ପ୍ରତି ସହରର ପୁଲିସ ଏବେ ସଜାଗ ହେବା ସହ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ବାଟ ଆପଣାଉଛି।

ଏ ମଧ୍ୟରେ ଉତ୍ତରପ୍ରଦେଶର ହରଦୋଇରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ମହିଳାଙ୍କୁ ଅନ୍ଧାରିଆ ରାସ୍ତାରେ ଏକା ଯାଉଥିବା ଦେଖି ଉତ୍ତରପ୍ରଦେଶ ପୁଲିସ କରିଥିବା କାମ ଏବେ ସାମ୍ନାକୁ ଆସିଛି। ମହିଳାଜଣଙ୍କ ଏକ ହୋଟେଲରେ କାମ କରୁଥିବା ବେଳେ ବିଳମ୍ବିତ ରାତିରେ କାମ ସାରି ସେ ଘରକୁ ଫେରୁଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ହୋଟେଲ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ମହିଳାଙ୍କୁ ପୁଣି ଥରେ ହୋଟେଲକୁ ଆଣି ହୋଟେଲର ମ୍ୟାନେଜରଙ୍କୁ ତାଗିଦ୍ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ। ମହିଳାଙ୍କୁ ଛାଡ଼ିବାର କୌଣସି ବ୍ୟବସ୍ଥା ନ ଥିବାରୁ ହୋଟେଲ ମ୍ୟାନେଜରଙ୍କୁ ତାଗିଦ୍ କରିବାର ଭିଡିଓ ଏବେ ଭାଇରାଲ ହୋଇଛି। ବରିଷ୍ଠ ପୁଲିସକର୍ମୀ ମ୍ୟାନେଜରଙ୍କୁ ତୁରନ୍ତ ଛାଡ଼ିବାର ବ୍ୟବସ୍ଥା କରିବାକୁ କହିବା ସହ ରାଜ୍ୟର ସମସ୍ତ ହୋଟେଲରେ ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଯେଉଁମାନେ ଏହାକୁ ନ ମାନିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର